ମୁମ୍ବାଇ: କିଛି ବର୍ଷ ପରେ ଶୁକ୍ରବାର ଏକ ସର୍ବସାଧାରଣସ୍ଥଳରେ ଶିବସେନା ନେତା ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକରେଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି। ରାଜ ଠାକ୍‌ରେଙ୍କ ଭଣଜାଙ୍କ ନିର୍ବନ୍ଧ ସମାରୋହରେ ମହାରାଷ୍ଟ୍ରର ଦୁଇ ଟାଣୁଆ ନେତାଙ୍କର ଭେଟ ହୋଇଛି। ଆଜି ମୁମ୍ବାଇର ଦାଦରରେ ରାଜ୍‌ ଠାକରେଙ୍କ ଭଉଣୀ ଜୟବନ୍ତୀ ଏବଂ ଅଭୟ ଦେଶପାଣ୍ଡେଙ୍କ ପୁଅ ୟଶ ଦେଶପାଣ୍ଡେଙ୍କ ନିର୍ବନ୍ଧ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍‌ ଠାକରେ ଓ ଉଦ୍ଧବ ଠାକରେ ନିଜର ପୂରା ପରିବାର ସହିତ ଏକତ୍ର ଦେଖାଯାଇଥିଲେ।

Advertisment

ପାରିବାରିକ କାର୍ଯ୍ୟକ୍ରମ ହୋଇଥିବାରୁ ଉଭୟ ରାଜ୍‌ ଠାକ୍‌ରେ ଓ ଉଦ୍ଧବ ଠାକରେଙ୍କ ମୁହଁରେ ହସ ଦେଖିବାକୁ ମିଳୁଥିଲା। ମାତ୍ର ଏହି ଫଟୋକୁ ଦେଖି କହିହେବ ନାହିଁ ଯେ, ଦୁଇ ଭାଇଙ୍କ ରାସ୍ତା ପୁଣି ଏକ ହୋଇପାରେ।

ଗତବର୍ଷ ଯେତେବେଳେ ଶିବସେନା ଭାଙ୍ଗିଲା, ସେହି ସମୟରେ ଉଦ୍ଧବ ଠାକରେଙ୍କୁ ରାଜ୍‌ ଠାକରେ ଦାୟୀ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁମ୍ବାଇର ଶିବାଜୀ ପାର୍କରେ ନିଜର ରାଲିକୁ ସମ୍ବୋଧିତ କରି ରାଜ୍‌ ଠାକରେ କହିଥିଲେ- ଶିବସେନାର ଅନେକଗୁଡ଼ିଏ ନେତା ଦଳ ଛାଡ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହେଉଛନ୍ତି ଦାୟୀ। ଶିବସେନାର ଏକନାଥ ସିନ୍ଦେ ଏବଂ ତାଙ୍କୁ ସମର୍ଥନ କରୁଥିବା ୩୯ ଜଣ ବିଧାୟକଙ୍କ ସମେତ ଅନେକ ନେତାଙ୍କ ଅଲଗା ହେବା ପାଇଁ ଉଦ୍ଧବ ଦାୟୀ। ଉଲ୍ଲେଖଯୋଗ୍ୟ, ସିନ୍ଦେ ଗତବର୍ଷ ଜୁନ୍‌ରେ ପାର୍ଟିରେ ବିଦ୍ରୋହ ଆରମ୍ଭ କରିଦେଇଥିଲେ। ଏହା ପରେପରେ ମହାରାଷ୍ଟ୍ରରେ ଉଦ୍ଧବ ସରକାରର ପତ୍ତନ ହୋଇଥିଲା।

ସୂଚନାଯୋଗ୍ୟ, ୨୦୦୬ରେ ରାଜ୍‌ ଠାକରେ ଓ ଉଦ୍ଧବ ଠାକରେଙ୍କ ରାସ୍ତା ଅଲଗା ହୋଇଯାଇଥିଲା। ସେହି ସମୟରେ ରାଜ ଠାକରେ ଶିବସେନା ଛାଡ଼ି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଗଠନ କରିଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ରାଜ୍‌ ଠାକରେଙ୍କ ଦଳ ୧୩ଟି ଆସନରେ ବିଜୟ ହାସଲ କରି ଥିବା ବେଳେ ୨୪ଟି ଆସନରେ ଦ୍ବିତୀୟ ସ୍ଥାନରେ ଥିଲା। ମାତ୍ର ୨୦୦୯ ସାଧାରଣ ନିର୍ବାଚନରେ ଏମ୍‌ଏନ୍‌ଏସକୁ କୌଣସି ସଫଳତା ମିଳି ନଥିଲା।