ପଞ୍ଜାବ ଉପମୁଖ୍ୟମନ୍ତ୍ରୀଙ୍କ କାର୍‌ ଅଟକାଇ ‘ମୋଦୀ ଜିନ୍ଦାବାଦ୍‌’ କହିବାକୁ ବାଧ୍ୟ କଲେ ଉତ୍ତ୍ୟକ୍ତ ଜନତା

ଚଣ୍ଡୀଗଡ଼: ଗୁରୁବାର ଦିନ ଦଳେ ଉତ୍ତ୍ୟକ୍ତ ଜନତା ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଓ.ପି. ସୋନିଙ୍କ କାର୍‌ ଅଟକାଇ ‘ମୋଦୀ ଜିନ୍ଦାବାଦ୍‌’ କହିବାକୁ ତାଙ୍କୁ ବାଧ୍ୟ କରାଇଥିଲେ। ସେ କାର୍‌ରୁ ଓହ୍ଲାଇ ‘ମୋଦୀ ଜିନ୍ଦାବାଦ୍’ ନ କହିଲା ପର୍ଯ୍ୟନ୍ତ ‘ଜୟ ଶ୍ରୀରାମ’ ଧ୍ବନି ଦେଉଥିବା ଉତ୍ତ୍ୟକ୍ତ ଜନତା ତାଙ୍କୁ ବାଟ ଛାଡ଼ିବାକୁ ମନା କରି ଦେଇଥିଲେ।

ପଞ୍ଜାବ ସାମ୍ବାଦିକ ଗଗନଦୀପ ସିଂହ ପୋଷ୍ଟ୍‌ କରିଥିବା ଉକ୍ତ ଘଟାଣାର ଏକ ଭିଡିଓରେ ଦେଖାଯାଉଛି ପୁଲିସଙ୍କ ବାରଣ ନ ମାନି ପ୍ରବଳ ବର୍ଷା ସତ୍ତ୍ବେ ଲୋକେ ଉପମୁଖ୍ୟମନ୍ତ୍ରୀଙ୍କ କାର୍‌ ଚାରିପଟେ ଘେରି ଯାଉଛନ୍ତି।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତକାଳୀନ ସୁରକ୍ଷାଗତ ତ୍ରୁଟି ନିମନ୍ତେ ପ୍ରତିକ୍ରିୟାଶୀଳ ହୋଇ ସମ୍ପୃକ୍ତ ବ୍ୟକ୍ତିମାନେ ଉପମୁଖ୍ୟମନ୍ତ୍ରୀଙ୍କ ଯାତ୍ରାପଥ ଅବରୋଧ କରିଥିବା ପରି ମନେହେଉଛି।

Image Courtesy of India Today

ଗୁରୁବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀଙ୍କ ଗାଡ଼ିକୁ ମଧ୍ୟ ଦଳେ ପ୍ରତିବାଦକାରୀ ଅଟକାଇଥିଲେ। ଡ୍ରାଇଭର୍‌କୁ ଗାଡ଼ି ଅଟକାଇବାକୁ କହି ଚନ୍ନୀ କାର୍‌ରୁ ଓହ୍ଲାଇ ପ୍ରତିବାଦକାରୀମାନଙ୍କ ନିକଟକୁ ଚାଲି ଚାଲି ଯାଇ ପଚାରିଥିଲେ, ଆପଣମାନଙ୍କର ଦାବି କ’ଣ?। ସେମାନଙ୍କ ମଧ୍ୟରୁ ଜଣେ ପ୍ରତିବାଦକାରୀ କହିଲେ, ଆଗାମୀକାଲି ଚଣ୍ଡୀଗଡ଼ରେ ଆମେ ଆପଣଙ୍କୁ ସାକ୍ଷାତ୍‌ କରିବାକୁ ଚାହୁଁ।

ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ କହିଥିଲେ, ମୁଁ ଆପଣମାନଙ୍କ ଦାବି ଶୁଣିବାକୁ ରାଜି ଥିବା ବେଳେ ମୋ ଗାଡ଼ି ଅଟକାଉଛନ୍ତି କାହିଁକି? ଅନ୍ୟ ଜଣେ ପ୍ରତିବାଦକାରୀ କରି କହିଥିଲେ, ଦୁଇ ମାସରୁ ଅଧିକ ହେବ ଆମ ଦାବି ପୂରଣ ହେଉନାହିଁ।

ଶୁକ୍ରବାର ଦିନ ଚଣ୍ଡୀଗଡ଼ସ୍ଥିତ ସରକାରୀ ବାସଭବନରେ ଆଲୋଚନା ବେଳେ ସେମାନଙ୍କର ଦାବି ପୂରଣ କରାଯିବ ବୋଲି ଚନ୍ନୀ ପ୍ରତିବାଦକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର