ପୁଣି ପିଲାଚୋର ସନ୍ଦେହରେ ଆଇନ୍‌କୁ ହାତକୁ ନେଲେ ଉତ୍ୟକ୍ତ ଜନତା; ଜଣଙ୍କୁ ପିଟିପିଟି ହତ୍ୟା, ୨ ଗୁରୁତର

ବିଦାର (କର୍ଣ୍ଣାଟକ): ପୁଣି ପିଲାଚୋର ସନ୍ଦେହରେ କର୍ଣ୍ଣାଟକ ବିଦାର ଜିଲ୍ଲା ଔରାଦ ତାଲୁକ ମୁର୍‌କି ଗ୍ରାମରେ ଉତ୍ୟକ୍ତ ଜନତା ଆଇନ୍‌କୁ ହାତକୁ ନେଇ ଗତକାଲି (ଶୁକ୍ରବାର) ତିନି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଜଣଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଭାବେ ଆହତ କରିଛନ୍ତି। ଏହି ଘଟଣାରେ ମୁତ୍ୟୁବରଣ କରିଥିବା ଯୁବକଙ୍କ ନାମ ମହମ୍ମଦ ଆଜମ୍‌ ହୋଇଥିବା ବେଳେ ଆହତ ଦୁଇଜଣଙ୍କ ନାମ ତଲ୍‌ହା ଇସ୍‌ଲାମ୍‌ ଏବଂ ମହମ୍ମଦ ସଲ୍‌ମାନ୍‌। ଏମାନେ ସମସ୍ତଙ୍କର ଘର ହାଇଦ୍ରାବାଦରେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ଶୁକ୍ରବାର ଦିନ ଏମାନେ ସମସ୍ତେ ଔରାଦ ତାଲୁକା ସ୍ଥିତ ହାଣ୍ଡିକେରା ଗ୍ରାମରେ ରହୁଥିବା ସେମାନଙ୍କର ଜଣେ ବନ୍ଧୁ ମହମ୍ମଦ ବସିରଙ୍କ ଘରକୁ ଗୋଟିଏ ଗାଡ଼ିରେ ଯାଉଥିଲେ। ତେବେ, ବାଟରେ ଯିବା ସମୟରେ ସେମାନେ ଜଳଖିଆ ଖାଇବା ପାଇଁ ବାଲକୁଟ୍‌ ଟାଣ୍ଡା ନାମକ ଏକ ସ୍ଥାନରେ ଅଟକି ଥିଲେ। ତେବେ, ସେମାନେ ଦୋକାନରେ ଜଳଖିଆ ଖାଉଥିବା ସମୟରେ କିଛି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ସେମାନଙ୍କୁ ପିଲାଚୋର ବୋଲି ଭାବି ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଉତ୍ୟକ୍ତ ଜନତାଙ୍କ ଆକ୍ରମଣରେ ମହମ୍ମଦ ଆଜମ୍‌ଙ୍କ ଘଟଣାସ୍ଥଳରେ ମୁତ୍ୟୁ ହୋଇ ଯାଇଥିବା ବେଳେ ତଲ୍‌ହା ଇସ୍‌ଲାମ୍‌ ଏବଂ ମହମ୍ମଦ ସଲ୍‌ମାନ୍‌ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‌ ଘଟଣାରେ ସଂପୃକ୍ତ କାହାରିକି ଗିରଫ କରିବାରେ ସମର୍ଥ ହୋଇନାହିଁ।

ସମ୍ବନ୍ଧିତ ଖବର