ନୂଆଦିଲ୍ଲୀ: ଜେଏନ୍ୟୁ ହିଂସାକାଣ୍ଡକୁ କେନ୍ଦ୍ର କରି ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜେଏନ୍ୟୁ ହିଂସାକାଣ୍ଡରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ପରସ୍ପର ମଧ୍ୟରେ ସାଙ୍କେତିକ ଭାଷା ବା କୋଡ୍ ୱାର୍ଡରେ କଥାବାର୍ତ୍ତା ହୋଇ ହିଂସା ସୃଷ୍ଟି କରିଥିବା ଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତ ସମୟରେ ଦିଲ୍ଲୀ ପୁଲିସର ଏହି ତଥ୍ୟ ହସ୍ତଗତ ହୋଇଛି।
ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାରତ ସମେତ ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟ ହିଂସାକାଣ୍ଡ ବିରୋଧରେ ଶୋଭାଯାତ୍ରା ବାହାରିଛି । ଜେଏନୟୁରେ ମଧ୍ୟ ଉତ୍ତେଜନା ଲାଗି ରହିଥିବା ସହିତ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ହିଂସାକାଣ୍ଡ ପାଇଁ ଜେଏନୟୁ ଛାତ୍ର ସଂଘ ଏବଂ ଏବିଭିପି ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ କାହାକୁ ଗିରଫ କରି ନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ, ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ଗତକାଲି ରାତିରେ ଇଣ୍ଡିଆନ ୟୁଥ କଂଗ୍ରେସ ପକ୍ଷରୁ ଟର୍ଚ୍ଚଲାଇଟ ମାର୍ଚ୍ଚ କରାଯାଇଥିଲା, ଯେଉଁଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଭାଗ ନେଇଥିଲେ ।
/sambad/media/post_attachments/322944c68f08692bf11533f9a4133e40600086076aa3c0826b72016537acc7a2.jpg)
ଦିଲ୍ଲୀ କଂଗ୍ରେସ ସଭାପତି ସୁବାସ ଚୋପ୍ରା କହିଛନ୍ତି, ଏହି ଆକ୍ରମଣ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଦରକାର । ଏପଟେ ହିଂସାକାଣ୍ଡକୁ ବିରୋଧ କରି ବଲିଉଡ ବ୍ୟକ୍ତିତ୍ବ ଅନୁରାଗ କଶ୍ୟପ, ଅନୁଭବ ସିହ୍ନା, ତାପସୀ ପନୁ, ଜୋୟା ଅଖତର, ଦିୟା ର୍ମିଜା, ରାହୁଲ ବୋଷ ପ୍ରମୁଖ ମୁମ୍ବାଇର କାର୍ଟର ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ । ସେପଟେ ତୃଣମୂଳ କଂଗ୍ରେସର କିଛି ସାଂସଦ ଜେଏନୟୁ ଆସିଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳି ନ ଥିଲା ।