ଡେରାଡୁନ: କେଦାରନାଥ ଧାମରେ ଫଟୋ ଉଠାଉଥିଲେ କିମ୍ବା ରିଲ୍ସ କରୁଥିଲେ ସାବଧାନ । କାରଣ କେଦାରନାଥ ମନ୍ଦିରର ୩୦ ମିଟର ପରିସର ଭିତରେ ଲାଗିଛି କଟକଣା । ଯେଉଁ ୩୦ ମିଟର ଭିତରେ ଫଟୋ ଉଠାଇବା ଏବେ ଭିଡିଓ କରିବା ଉପରେ ରୋକ ଲଗାଯାଇଛି । ଯଦି କେହି ଏହି ନିୟମକୁ ଭାଙ୍ଗି ରିଲ୍ସ କରିବାର କିମ୍ବା ଫଟୋ ଉଠାଇବାର ନଜର ଆସିବ ତାହାଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ । ତାଙ୍କ ମୋବାଇଲ କିମ୍ବା କ୍ୟାମେରା ଜବତ କରାଯିବା ସହ ତାଙ୍କ ଉପରେ ୫୦୦୦ ଟଙ୍କାର ଫାଇନ୍ ପଡିବ । ତେଣୁ କେଦାରନାଥ ଯାଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦେବେ । 

Advertisment

କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ବେଳେ ମୋବାଇଲ, କ୍ୟାମେରା ସହ କୌଣସି ବି ବୈଦ୍ୟୁତିକ ଯନ୍ତ୍ର ନେଇ ମନ୍ଦିର ଭିତରକୁ ଯାଇ ହେବନି । ତେବେ ଗତବର୍ଷ ବହୁଳ ମାତ୍ରାରେ ଲୋକଙ୍କୁ ଭିଡିଓ ଏବଂ ରିଲ୍ସ କରିବାର ଦେଖିବାକୁ ମିଳିଥିଲା ଯାହା ଦ୍ବାରା ମନ୍ଦିର ସାମ୍ନାରେ ଗହଳି ଲାଗିବା କାରଣରୁ ଅନ୍ୟ ଶ୍ରଦ୍ଧାଳୁଙ୍କୁ ସମସ୍ୟା ହେଉଥିଲା । ତେଣୁ ଏବର୍ଷ ଏଥିରେ ରୋକ ଲଗାଯାଇଛି ।

ସେପଟେ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ କପାଟ । ଶୁକ୍ରବାର ସକାଳ ୭ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥଙ୍କ କପାଟ ଖୋଲି ଦିଆଯାଇଛି । ଆଉ ଯେମିତି କପାଟ ଖୋଲିଛି ମନ୍ଦିର ବାହାରେ ଅପେକ୍ଷା କରିଥିବା ୧୫ ହଜାର ଭକ୍ତ ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ହରହର ମହାଦେବ... ହରହର ମହାଦେବ... ଜୟ ବାବା କେଦାରନାଙ୍କର ଜୟ... ଘଣ୍ଟ ଘଣ୍ଟା, ଓଁକାର ଧ୍ବନୀ ଏବଂ ମହାଦେବଙ୍କ ଜୟଜୟକାରରେ ଖୋଲିଛି ବାବା କେଦାରନାଥଙ୍କ କପାଟ । ଦେବଭୂମି ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମର କପାଟ ଆଜି ବୈଦିକ ରୀତିନୀତିରେ ଖୋଲା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ସହ ନିଜେ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁଙ୍କ ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇଥିଲା ।