ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହାରୁ ମୋବାଇଲ ବିସ୍ଫୋରଣର ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକ ଜଣକ ମୋବାଇଲରେ କଥା ହେଉଥିବା ବେଳେ ବିସ୍ଫୋରଣର ଶିକାର ହୋଇଥିଲେ। ଏହି ବିସ୍ଫୋରଣରେ ତାଙ୍କ ହାତ ପାପୁଲିରେ ଗଭୀର ଭାବେ ଆଘାତ ଲାଗିଥିଲା।
ଗତ ଶୁକ୍ରବାର ଘଟିଥିବା ଏହି ଘଟଣା ଅମରୋହା ଜନପଦର ହିଜାମପୁର ଗ୍ରାମରୁ ସାମ୍ନାକୁ ଆସିଛି। ଏହି ଗ୍ରାମରେ ବସବାସ କରୁଥିବା ହିମାଂଶୁଙ୍କ କହିବାନୁସାରେ, ସେ ଚାରିମାସ ପୂର୍ବରୁ ମୋବାଇଲ କିଣିଥିଲେ। ଗତ ଶୁକ୍ରବାର ସେ ସେହି ନୂଆ ଫୋନରେ କଥା ହେଉଥିଲେ, ହଠାତ ଫୋନଟି ଫାଟି ଯାଇଥିଲା। ଆଉ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଏହି ବିସ୍ଫୋରଣରେ ତାଙ୍କ ହାତ ଓ ଆଙ୍ଗୁଳିରେ ଗଭୀର ଆଘାତ ଲାଗିଥିଲା। ସେ କମ୍ପାନି ବିରୋଧରେ ଅଭିଯୋଗ ବି କରିଛନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଏଭଳି ଭାବେ ଫୋନ ବିସ୍ଫୋରଣ ହେବାର ମୁଖ୍ୟ କାରଣ କ’ଣ ରହିଛି।
ଚାର୍ଜିଂ ସମୟରେ ଗେମ ଖେଳିବା ନହେଲେ କଥା ହେବା ହେତୁ ଫୋନ ବିସ୍ଫୋରଣ ହୋଇଥାଏ। ଏଥିସହିତ ଓଭର ଚାର୍ଜିଂ, ଚାର୍ଜିଂ ସମୟରେ ଫୋନକୁ ତକିଆ ତଳେ ରଖିବା, ହେଭି ଚାର୍ଜର କିମ୍ବା ଲୋକାଲ ପାୱର ଆଡପଟର ବ୍ୟବହାର କରିବା ଦ୍ବାରା ଅନେକ ସମୟରେ ଫୋନ ବିସ୍ଫୋରଣ ହୋଇଥାଏ। ଯାହାକି ଆମ ଜୀବନକୁ ବି ବିପଦରେ ପକାଇଥାଏ। ତେଣୁ ଏଥିପ୍ରତି ସର୍ବଦା ସାବଧାନତା ଅବଲମ୍ବନ କରନ୍ତୁ।