ସୀମାରେ ଲାଗିବ ଡ୍ରୋନ୍ ଶିକାର ଟିମ: ଶତ୍ରୁର ଡ୍ରୋନକୁ କରିବ ଧ୍ବଂସ

ଶ୍ରୀନଗର: ବିଗତ କିଛି ଦିନ ଧରି ପାକିସ୍ତାନ ପକ୍ଷରୁ ଭାରତରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ସହ ଯୁଦ୍ଧ ସରଞ୍ଜାମ ପଠାଇବାକୁ ଯୋଜନା ପ୍ରସ୍ତୁତ କରାଯାଉଛି | ବିଗତ କିଛି ମାସ ମଧ୍ୟରେ ପ୍ରାୟ ୧୦ଥର ଡ୍ରୋନ୍ ମାଧ୍ୟମରେ ଯୁଦ୍ଧ ସରଞ୍ଜାମ ପଠାଇବାକୁ ପ୍ରୟାସ ମଧ୍ୟ କରାଯାଇଛି | ଆଉ ପାକିସ୍ତାନର ଏହି ଡ୍ରୋନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବା ପାଇଁ ବର୍ଡ଼ର ସିକ୍ୟୁରିଟି ଫୋର୍ସ ଏବେ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ(ଡ୍ରୋନ୍ ଶିକାର ଟିମ) ମୁତୟନ କରିବାକୁ ଯୋଜନା କରିଛି | ସୂଚନା ମୁତାବକ ଏଣିକି ବିଏସଏଫରେ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ରହିବ, ଯାହାକି ଆଣ୍ଟି ଡ୍ରୋନ୍ ସିଷ୍ଟମରୁ ଆସୁଥିବା ସୂଚନା ଅନୁସାରେ କାର୍ଯ୍ୟ କରିବ |

ସୀମାରେ ୧୨ଟି ସ୍ଥାନରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲଗାଯିବ | ଆଉ ଏହା ସହିତ ମୋବାଇଲ ହଣ୍ଟିଙ୍ଗ ଟିମ ମଧ୍ୟ ରହିବେ | ଏହି ମୋବାଇଲ ହଣ୍ଟିଙ୍ଗ ଟିମ ସୀମାରେ କୌଣସି ଡ୍ରୋନ୍ ନଜର ଆସିଲେ ଏସବୁ ଧ୍ବଂସ କରିଦେବ | ନୂଆ ଆଣ୍ଟି ଡ୍ରୋନ୍ ସିଷ୍ଟମରେ ଜାମର ଓ ସେନ୍ସର ମଧ୍ୟ ଲାଗିବ | ଏହା ସହ ୩୬୦ ଡିଗ୍ରୀ ବୁଲିପାରୁଥିବା କ୍ୟାମେରା ମଧ୍ୟ ସଂଯୁକ୍ତ କରାଯିବ |

ସୂଚନା ଥାଉ କି ନିକଟରେ ଭାରତୀୟ ଗୁଇନ୍ଦା ଏଜେନ୍ସି ଜାଣିବାକୁ ପାଇଥିଲା ଯେ ପାକିସ୍ତାନ, ଜମ୍ମୁକାଶ୍ମୀରର କାଠୁଆ, ଶାମ୍ବା ଓ ହୀରାନଗର ସେକ୍ଟରରେ ଅସ୍ତ୍ରଶସ୍ତ୍ର ପଠାଇବାକୁ ଡ୍ରୋନ୍ ବ୍ୟବହାର କରୁଛି | ଏଥିପାଇଁ ଏକ କୋଡ଼ ମଧ୍ୟ ବ୍ୟବହାର କରାଯାଉଛି | ଆଉ ପାକିସ୍ତାନ ଏହାର ସୀମାରେ ଥିବା ସକାରଗଡ଼ ଅଂଚଳରେ ଏକ ଡ୍ରୋନ୍ ଷ୍ଟେସନ ମଧ୍ୟ ନିର୍ମାଣ କରିଛି | ଯେଉଁଠାରୁ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଯୋଜନା ମଧ୍ୟ କରାଯାଇଛି |

ସମ୍ବନ୍ଧିତ ଖବର