ଭାୟନ୍ଦର୍: ସାମାଜିକ ଗଣମାଧ୍ୟମରେ ନାବାଳିକାମାନଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ସହିତ ଦୁଷ୍କର୍ମ କରୁଥିବା ମୁମ୍ବାଇର ଜଣେ ମୋବାଇଲ୍ ଫୋନ୍ ମେକାନିକ୍ଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ପୁଲିସ କହିଛି, ନିଜର ପରିଚୟ ଓ ଅବସ୍ଥିତି ଲୁଚାଇବା ଲାଗି ସେ ମରାମତି ପାଇଁ ରଖୁଥିବା ଗ୍ରାହକମାନଙ୍କ ମୋବାଇଲ୍ ଯୋଗେ ଉକ୍ତ ନାବାଳିକାମାନଙ୍କ ସହିତ ଯୋଗାଯୋଗ କରୁଥିଲେ। ଫଳରେ ଗତ ଏକ ମାସ ହେବ ଅଭିଯୁକ୍ତ ଗିରଫଦାରି ଏଡ଼ାଇ ଚାଲିଥିଲେ।
ମୀରା-ଭାୟନ୍ଦର-ୱାସାଇ-ବିରାର ପୁଲିସ କହିଛି, ୨୧ ବର୍ଷିୟ ଅଭିଯୁକ୍ତ ଆଦିତ୍ୟ ଭଗତ ୨ ମାସ ତଳେ ‘ଫେସ୍ବୁକ୍’ରେ ନାଲାସୋପାରାର ଜଣେ ୧୭ ବର୍ଷୀୟ ଝିଅ ନିକଟକୁ ‘ଫ୍ରେଣ୍ଡ୍ ରିକ୍ବେଷ୍ଟ୍’ ପଠାଇଥିଲେ। କିଛି ଦିନ ‘ଚାଟିଙ୍ଗ୍’ କରିବା ପରେ ଭଗତ ତାଙ୍କୁ ଭେଟିବାକୁ କହିଥିଲେ।
ଦୁହେଁ ଭାୟନ୍ଦରସ୍ଥିତ ଗୋଟାଏ ଗେଷ୍ଟ୍ ହାଉସ୍ରେ ଭେଟାଭେଟି ହେବା ବେଳେ ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିବା ଲାଗି ଉଦ୍ୟମ କରିଥିଲେ। ନାବାଳିକାଜଣକ ମନା କରିଦେବାରୁ ସେ ‘ଇଣ୍ଟର୍ନେଟ୍’ରେ ଆପତ୍ତିଜନକ ଫଟୋ ପୋଷ୍ଟ୍ କରିବେ ବୋଲି ଧମକ ଦେଲେ।
ସେଠାରୁ ଫେରିବା ପରଦିନ ବଦନାମ ହୋଇଯିବା ଆଶଙ୍କାରେ ଝିଅଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ପରେ ଘଟଣା ସଙ୍କ୍ରାନ୍ତରେ ଥାନାରେ ଅଭିଯୋଗ ହେବାରୁ ଆଚୋଲି ଥାନା ପୁଲିସ ‘ଆଇପିସି’ ଧାରା ୩୭୬, ୩୭୬(୨) ଓ ‘ପୋକ୍ସୋ’ ଆଇନ ଅନୁସାରେ ଭଗତଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କଲା।
ମୀରା-ଭାୟନ୍ଦର-ୱାସାଇ-ବିରାର କ୍ରାଇମ୍ ବ୍ରାଞ୍ଚର ‘ପିଏସ୍ଆଇ’ ହିତେନ୍ଦ୍ର ବିଚାରେ କହିଛନ୍ତି ଯେ, ଘଟଣା ସ୍ପର୍ଶକାତର ହୋଇଥିବାରୁ ପୁଲିସ ସହିତ ସେମାନେ ବି ତଦନ୍ତ ଆରମ୍ଭ କରିଥିଲେ। ମୋବାଇଲ୍ ଫୋନ୍ ଡାଟା ଓ ଅନ୍ୟାନ୍ୟ ପ୍ରଯୁକ୍ତିଗତ ଧାରାରେ ବିଶ୍ଳେଷଣ କରି ପୁଲିସ ସୋମବାର ଦିନ ଭଗତଙ୍କୁ ଭାୟନ୍ଦରରେ ଥିବା ତାଙ୍କ ମୋବାଇଲ୍ ମରାମତି ଦୋକାନରୁ ଗିରଫ କରିଛି।
‘କ୍ରାଇମ୍ ବ୍ରାଞ୍ଚ୍’ର ଜଣେ ଅଫିସର୍ କହିଛନ୍ତି, ପୀଡ଼ିତାମାନଙ୍କ ପାଖକୁ ଯେଉଁ ମୋବାଇଲ୍ଗୁଡ଼ିକରୁ ‘କଲ୍’ ଓ ‘ମେସଜ୍’ ଆସୁଥିଲା ସେ ସବୁର ‘ଆଇଏମ୍ଇଆଇ’ ନମ୍ବର ଯାଞ୍ଚ କରିବାରୁ ଜଣାଗଲା ସେ ସବୁ ଭାୟନ୍ଦର୍ସ୍ଥିତ ଅଭିଯୁକ୍ତଙ୍କ ମୋବାଇଲ୍ ଦୋକାନରେ ମରାମତି ପାଇଁ ଦିଆଯାଇଥିଲା।
ଭଗତ ଏମିତି କେତେ ଜଣ ଝିଅଙ୍କ ସହିତ ଯୋଗାଯୋଗ ଓ ‘ବ୍ଲାକ୍ମେଲ୍’ କରି ଦୁଷ୍କର୍ମ କରିଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି।