ରୋଡ଼ ସୋ’ବେଳେ ମୋଦୀଙ୍କ ଉପରକୁ ଫିଙ୍ଗାଗଲା ମୋବାଇଲ ଫୋନ

ମହୀଶୂର: କର୍ଣ୍ଣାଟକ ମହୀଶୂରରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ମୋବାଇଲ ଫିଙ୍ଗାଯାଇଥିବାର ଦେଖିବାକୁ ମିଳିଛି | ତେବେ ସୌଭାଗ୍ୟବଶତଃ ମୋବାଇଲ ଫୋନଟି ମୋଦୀଙ୍କ ଦେହରେ ନ ବାଜି ଗାଡ଼ିରେ ବାଜିହୋଇ ତଳେ ପଡିଯାଇଥିଲା | ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ମୋଦୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି | ଆଜି ମହୀଶୂରରେ ଏକ ରୋଡ ସୋ’ କରୁଥିବାବେଳେ ଏହି ଘଟଣା ଘଟିଥିଲା | ତେବେ ମୋବାଇଲ ଫୋନ ଗାଡି ଉପରେ ପଡିବା ଦେଖି ମୋଦୀଙ୍କ ସୁରକ୍ଷାରେ ନିୟୋଜିତ ଏସପିଜି ଯବାନମାନେ ତୁରନ୍ତ ମୋବାଇଲ ଫୋନକୁ ଗାଡ଼ିରୁ ଦୂରକୁ ଫିଙ୍ଗିଦେଇଥିଲେ | ତେବେ ମୋବାଇଲ ଫୋନ ଜାଣିଶୁଣି ଫିଙ୍ଗାଯାଇଥିଲା ନା ଫୁଲ ପକାଇବାବେଳେ ଏହା ପଡିଯାଇଥିଲା ପୁଲିସ ତାହାର ଯାଞ୍ଚ କରିଥିଲା |

ପୁଲିସର ଯାଞ୍ଚ ପରେ ଜଣାପଡିଥିଲା ଯେ ଏହି ଫୋନଟି ଜଣେ ବିଜେପି କର୍ମୀଙ୍କର ହୋଇଥିବାବେଳେ ଭୁଲବଶତଃ ଫୁଲ ଫିଙ୍ଗିବାବେଳେ ମୋବାଇଲ ଫୋନ ଫିଙ୍ଗାଯାଇଥିଲା | ଉଲ୍ଲେଖ ଥାଉ କି କିଛିଦିନ ତଳେ କେରଳର କୋଚିରେ ରୋଡ୍ ସୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଥିଲା । ରାସ୍ତାରେ ଚାଲି-ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହୋଇଥିଲା ମୋବାଇଲ ଫିଙ୍ଗାଯାଇଥିଲା । ରୋଡ୍ ସୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଫୁଲ ବର୍ଷା କରୁଥିଲେ । ଏହି ସମୟରେ ମୋଦୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିବାର ଚିତ୍ର ସାମ୍ନାକୁ ଆସିଥିଲା । ତେବେ ମୋଦୀଙ୍କ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜିନଥିଲା ।

 

ସମ୍ବନ୍ଧିତ ଖବର