କୋଭିଡ୍‌ ପ୍ରଭାବ: ମୋବାଇଲ ଛୋଟ ପିଲାଙ୍କ ଆଖି ଖରାପର ମୁଖ୍ୟ କାରଣ

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ଯୋଗୁ ପ୍ରାୟ ଦୁଇବର୍ଷ କାଳ ପିଲାମାନେ ସ୍କୁଲ୍ ନ ଯାଇ ଘରେ ରହିଲେ। ଏବେ ସ୍କୁଲ୍ ଖୋଲିବା ପରେ ଦେଖିବାକୁ ମିଳୁଛି ଯେ ବହୁ ପିଲା କଳାପଟାରେ କ’ଣ ଲେଖା ହୋଇଛି ପଢ଼ିପାରୁ ନାହାନ୍ତି। ଆଖିକୁ ଜାଲୁଜାଲୁଆ ଦିଶୁଛି। ପାଠପଢ଼ାରେ ଅଧିକ ସମୟ ଧ୍ୟାନ ଦେଇପାରୁ ନାହାନ୍ତି। କାହାର ଆଖି ନାଲି ପଡ଼ିଛି, କାହାର ମୁଣ୍ଡ ବିନ୍ଧା ହେଉଛି ତ କାହାକୁ ଭାରି ଅଶ୍ବସ୍ତି ଅନୁଭବ ହେଉଛି। ଦିଲ୍ଲୀ ରାଜଧାନୀ ଅଞ୍ଚଳ, ମୁମ୍ବାଇ, ଉଦୟପୁର ଅଞ୍ଚଳର ଆଖି ଡାକ୍ତରମାନଙ୍କ ପାଖରେ ପିଲାମାନଙ୍କ ଭିଡ଼ ଦୁଇଗୁଣ ବଢ଼ିଯାଇଛି ବୋଲି ଏକ ରିପୋର୍ଟ ମିଳିଛି। ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ଡାକ୍ତରଙ୍କ ପାଖକୁ ଆଖି ଦେଖାଇବାକୁ ଆସୁଥିବା ପ୍ରତି ୧୦ ଜଣରେ ୬ ଜଣଙ୍କର ଚଷମା ଦରକାର ପଡ଼ୁଛି। ଯେଉଁମାନେ ଗତବର୍ଷ ଚଷମା ଲଗାଇଥିଲେ ସେମାନଙ୍କ ଚଷମାର ପାୱାର ୦.୫ରୁ ୦.୭୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଆଖି ଡାକ୍ତରମାନଙ୍କ କହିବା ଅନୁସାରେ ୫ରୁ ୧୫ ବର୍ଷର ବହୁ ପିଲାଙ୍କୁ ଏବେ ଚଷମା ପିନ୍ଧିବାକୁ ପଡ଼ୁଛି, ଏପରିକି ଅଧିକ ପାୱାରର ଚଷମା ଅନେକଙ୍କର ଦରକାର ପଡ଼ୁଛି। ଏମ୍ସ ଡାକ୍ତରଙ୍କ ପ୍ରାରମ୍ଭିକ ଅନୁଧ୍ୟାନ ଅନୁସାରେ ପିଲାମାନେ ମାୟୋପିଆ (ନିକଟ ଦୃଷ୍ଟିଦୋଷ)ର ଶିକାର ହେବା ୭ ପ୍ରତିଶତରୁ ୧୩ ପ୍ରତିଶତକୁ ବା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି।

ମୋବାଇଲ, ଲାପଟପ, କମ୍ପ୍ୟୁଟର, ଟିଭି ପ୍ରଭୃତି କେବଳ ପାଖ ଜିନିଷ ଦେଖିବାରେ ଅଭ୍ୟସ୍ତ ହେବା ଏବଂ ବାହାରକୁ ନ ଯିବା ଏହାର କାରଣ ବୋଲି କୁହାଯାଉଛି। ମୋବାଇଲ ବା ଲାପଟପ ପରି ଛୋଟ ପରଦାର ପାଖ ଜିନିଷ ବେଶି ଦେଖିଲେ ନେତ୍ର-ଗୋଲକ (ଆଇବଲ୍) ସମ୍ପ୍ରସାରିତ ହୁଏ ଓ ତାପ ସୃଷ୍ଟି ହୁଏ, ଯାହା ନିକଟ-ଦୃଷ୍ଟିଦୋଷର କାରଣ। ବିଯୁକ୍ତ ୧ ବା ୧.୫ରୁ ଅଧିକ ପାୱାରର ଚଷମା ପିଲାମାନଙ୍କୁ ପିନ୍ଧିବାକୁ ପଡ଼ୁଛି। କୋଭିଡ୍ ଯୋଗୁ ବାହାରକୁ ନ ଯିବା ଓ ବାହାରେ ଖେଳକୁଦ ନ କରିବା ଯୋଗୁ ପିଲାମାନେ ସୂର୍ଯ୍ୟକିରଣ ପାଇବାରୁ ବଞ୍ଚିତ ହେଲେ। ଫଳରେ ସେମାନଙ୍କ ଶରୀରରେ ଭିଟାମିନ ଡି ବା ଡୋପାମାଇନର ମଧ୍ୟ ଅଭାବ ଦେଖିବାକୁ ମିଳିଛି। ଏଣିକି ପିଲାମାନେ ଯଦି ଅତି କମ୍‌ରେ ଦୁଇଘଣ୍ଟା ବାହାରେ ବୁଲିବେ ବା ଖେଳିବେ ଏବଂ ମୋବାଇଲ ଓ ଲାପଟପ ଦେଖିବାରୁ ବିରତ ରହିବେ ତେବେ ସେମାନଙ୍କ ଛୋଟ ପରଦାରେ ମନୋନିବେଶ ସମୟ ହ୍ରାସ ପାଇବ ଏବଂ ଆଖିର ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ସେମାନଙ୍କର ନିକଟ ଦୃଷ୍ଟିଦୋଷ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବ ବୋଲି ମାକ୍ସ ହେଲ୍‌ଥ କେୟାର୍, ଗୁରୁଗ୍ରାମର ଚକ୍ଷୁରୋଗ ବିଶେଷଜ୍ଞ ଡ. ଅପର୍ଣ୍ଣା ଗୁପ୍ତା କହିଛନ୍ତି।

ସମ୍ବନ୍ଧିତ ଖବର