ବଢୁଥିବା କରୋନା ସଂକ୍ରମଣକୁ ନେଇ ନୂଆ ପରାମର୍ଶ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଏପ୍ରିଲ ୧୦-୧୧ରେ ମକଡ୍ରିଲ୍

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମଣ ସଂଖ୍ୟା ୮ ହଜାର ଟପିଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସକ୍ରିୟ ହେବା ସହ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମାମଲା ଉପରେ ନଜର ରଖାଯାଇଛି , ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ, କିନ୍ତୁ ଫେବ୍ରୁଆରି ପରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ସେ ସମସ୍ତ ରାଜ୍ୟକୁ ଚିଠି ଲେଖି କରୋନା ର ବଢୁଥିବା ମାମଲାକୁ ନେଇ ସତର୍କ ରହିବାକୁ କହିଛନ୍ତି । ଏହା ସହିତ ଆଗକୁ ସ୍ଥିତି ଖରାପ ହେବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶରେ ଏକ ବଡ଼ ମକ୍ ଡ୍ରିଲ୍ କରାଯିବ । ଏହା ମାଧ୍ୟମରେ ହସପିଟାଲକୁ କେତେ ପ୍ରସ୍ତୁତ ତାହାର ତଦାରଖ କରାଯିବ ।  ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମକ୍ ଡ୍ରିଲରେ ସାମିଲ କରାଯିବ। ହସପିଟାଲରେ ଶଯ୍ୟା, ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଔଷଧ ମହଜୁଦ ରଖିବାକୁ କୁହାଯାଇଛି ।

ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ପରାମର୍ଶରେ କୁହାଯାଇଛି ଯେ ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ଉଚିତ୍ । ଡାକ୍ତରମାନେ ସ୍ୱାସ୍ଥ୍ୟକର୍ମୀ ମାସ୍କ ବ୍ୟବହାର କରନ୍ତୁ ଓ ସବୁ ଲୋକ ମାସ୍କ ପିନ୍ଧିବା ଉଚିତ୍ । ଟେଷ୍ଟିଂ ବଢ଼ାଇବାକୁ ବି ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର