ନିରାପଦ ଘର, ମକ୍ ଡ୍ରିଲ୍ ଓ ନିର୍ଭୁଲ୍ ଯୋଜନା: ଜବାହିରି ହତ୍ୟା ପଛର ଗୁପ୍ତ ଅଭିଯାନ

ଅଲ ଜବାହିରି କିଏ ?

ୱାଶିଂଟନ: ଅଲ୍‌କାଏଦା ନେତା ଆୟମାନ ଅଲ୍‌-ଜୱାହିରି ଅନେକ ବର୍ଷ ହେଲା ଆମେରିକା ରାଡାରରେ ରହିଆସିଥିଲା। ଅଲ୍‌କାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ୨୦୧୧ରେ ହତ୍ୟା କରାଯିବା ପରେ ସେ ସଂଗଠନକୁ ଚଳାଉଥିଲା। ଅନେକ ବର୍ଷ ଧରି ସେ ଅମେରିକା ସହ ଲୁଚକାଳି ଖେଳ ଖେଳିଲା। ସେ ପାକିସ୍ତାନର ଆଦିବାସୀ ଅଞ୍ଚଳ କିମ୍ବା ଆଫଗାନିସ୍ତାନରେ ରହୁଛି ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ବିଶ୍ବର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଜୱାହିରିକୁ ତା’ର କାବୁଲ-ସ୍ଥିତ ନିରାପଦ ଘରର ବାଲ୍‌କୋନିରେ ଡ୍ରୋନ୍ ଆକ୍ରମଣ ଦ୍ବାରା ବଧ କରିବା ପୂର୍ବରୁ ଆମେରିକା ତା’ର ଆତଙ୍କବାଦ-ନିରୋଧୀ ଓ ଗୋଇନ୍ଦା ଅଧିକାରୀମାନଙ୍କ ସହ ମାସ ମାସ ଧରି ସୁଚିନ୍ତିତ ଯୋଜନା କରିଥିଲା।
ପ୍ରସ୍ତୁତି ଭିତରେ ରହିଛି ଜୱାହିରିର ନିରାପଦ ଘରର ଏକ ଛୋଟ ମଡେଲ, ଯାହାକୁ ଗୋଇନ୍ଦା ଅଧିକାରୀମାନେ ନିର୍ମାଣ କରି ହ୍ବାଇଟ୍ ହାଉସ୍‌ର ସିଚୁଏସନ ରୁମ୍‌ରେ ବାଇଡେନ୍‌ଙ୍କ ପର୍ଯ୍ୟବେକ୍ଷଣ ପାଇଁ ରଖିଥିଲେ। ବାଇଡେନ୍ ଚାହିଲେ ନାହିଁ ୧୧ ମାସ ତଳେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ସମୟରେ ଆମେରିକା ଯେଉଁ ଡ୍ରୋନ୍ ଆକ୍ରମଣ କରିଥିଲା ଯେଉଁଥିରେ ୭ ପିଲା ସମେତ ୧୦ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ, ସେପରି ଘଟଣାର ପୁନରାବୃତ୍ତି କରିବା ପାଇଁ। ହ୍ବାଇଟ୍‌ ହାଉସ୍‌ର ସୂତ୍ର ଅନୁଯାୟୀ ମାସ ମାସର ଯୋଜନା ଚାଲିଥିବା ବେଳେ ବାଇଡେନ ବାରମ୍ବାର ତାଙ୍କ ଅଧିକାରୀମାନଙ୍କୁ କହି ଆସୁଥିଲେ ଯେ ଆକ୍ରମଣରେ କେବଳ ଜୱାହିରି ମରିବା ଦରକାର, କୌଣସି ସାଧାରଣ ନାଗରିକ, ଏପରି କି ଜୱାହିରି ପରିବାରର ଅନ୍ୟ କେହି ସଦସ୍ୟ ବି ଯେପରି ମୃତ୍ୟୁବରଣ ନ କରନ୍ତି। ଶେଷରେ ଯୋଜନା ସଫଳ ହେଲା ଏବଂ କୌଣସି ସାଧାରଣ ନାଗରିକ ମୃତ ବା ଆହତ ହୋଇ ନାହାନ୍ତି।

ଆମେରିକାର ଜନୈକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଜୱାହିରିକୁ ଠାବ କରିବା ପାଇଁ ଆମେରିକା ବହୁବର୍ଷ ଧରି ଚେଷ୍ଟା କରି ଆସୁଥିଲା। ଗୋଟିଏ ନେଟ୍‌ୱାର୍କ ଜୱାହିରିକୁ ସମର୍ଥନ କରୁଥିବା ଆମେରିକା ଜାଣିବାକୁ ପାଇଲା। ଚଳିତବର୍ଷ ଗୋଇନ୍ଦା ଅଧିକାରୀମାନେ ଜୱାହିରିର କାବୁଲ-ସ୍ଥିତ ନିରାପଦ ଘର, ତା’ର ପରିବାର, ତା’ର ସ୍ତ୍ରୀ, ଝିଅ ଓ ପିଲାମାନଙ୍କୁ ଠାବ କଲେ ଏବଂ ଜୱାହିରିକୁ ବି ସେହି ଘରେ ରହୁଥିବାର ଚିହ୍ନଟ କଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବାନ ଏକଥା ବାଇଡେନଙ୍କୁ ଜଣାଇଲେ। ସବୁ ପ୍ରସ୍ତୁତି ପରେ ଶେଷକୁ ବାଇଡେନ ଶତ୍ରୁକୁ ନିପାତ କରିବା ପାଇଁ ଆଦେଶ ଦେଲେ।

ଅଲ ଜବାହିରି କିଏ ?
ୱାସିଂଟନ୍‌: ଅଲକାଏଦା ନେତା ଅୟମାନ ଅଲ ଜବାହିରି ୯/୧୧ ଆତଙ୍କବାଦୀ ଆକ୍ରମଣର ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଶନିବାର ଆମେରିକାର ଡ୍ରୋନ ଆକ୍ରମଣରେ ସେ ନିପାତ ହୋଇଛି। ୨୦୧୧ରେ ଓସାମ ବିନ ଲାଦେନ ନିପାତ ହେବାପରେ ଜବାହିରି ଅଲକାଏଦାର ମୁଖ୍ୟ ହେଲା। ଜବାହିରି ମୁଣ୍ଡରେ ଆମେରିକା ୨୫ ନିୟୁତ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ଜବାହିରି ଇଜିପ୍ଟର ଏକ ଗରିବ ମଧ୍ୟବିତ୍ତ ପରିବାରର ଜନ୍ମ ହୋଇଥିଲେ ବି ସେ ଜଣେ ଡାକ୍ତର ହୋଇପାରିଥିଲା। ରବିୟା ଅଲ ଜବାହିରିଙ୍କର ସେ ନାତି। ରବିୟା ଅଲ୍‌ ଅଲ ଆଝାର ମସଜିଦର ଜଣେ ପ୍ରମୁଖ ଇମାମ୍‌ ଥିଲେ। ଅଲ ଜବାହିରି ୧୯୭୪ରେ ଡାକ୍ତରୀ ଡିଗ୍ରି ହାସଲ କରିଥିଲା। । ଇଜିପ୍ଟ ସେନାରେ ସେ ୩ ବର୍ଷ ଜଣେ ସର୍ଜନ୍‌ ଭାବେ କାମ କରିଥିଲା। କିନ୍ତୁ ୧୯୮୬ରେ ଲାଦେନ ସହ ଭେଟ ହେବାପରେ ତା’ ଜୀବନର ଗତିପଥ ବଦଳିଗଲା। ସେ ଜଣେ ‘ଆଇ ସର୍ଜନ୍‌’ରୁ ଜଣେ କୁଖ୍ୟାତ ଆତଙ୍କବାଦୀରେ ପରିଣତ ହେଲା। ପ୍ରଥମେ ସେ ଲାଦେନର ବ୍ୟକ୍ତିଗତ ପରାମର୍ଶଦାତା ଏବଂ ଚିକିତ୍ସକ ଭାବେ କାମ କରିଥିଲା। କିନ୍ତୁ ପରେ ୧୯୯୩ରେ ସେ ଇଜିପ୍ଟରେ ଇସଲାମିକ ଜିହାଦର ନେତୃତ୍ବ ନେଇଥିଲା। ୨୦୧୧ରେ ଜବାହିରି ଅଲ କାଏଦାର ଦାୟିତ୍ବ ନେଲା। ଜବାହିରି ଏବଂ ଓସାମା ବିନ ଲାଦେନ ମିଳିତ ଭାବେ ୯/୧୧ ଆକ୍ରମଣ ‌ଯୋଜନା କରିଥିଲୋ। ୭୧ ବର୍ଷୀୟ ଜବାହିରି ବିଶ୍ବର ମୋଷ୍ଟ ୱାଣ୍ଡେଡ୍‌ ଆତଙ୍କବାଦୀ। ୯୦ ଦଶକରେ ପାଣ୍ଠି ସଂଗ୍ରହ ପାଇଁ ଜବାହିରି ସମଗ୍ର ବିଶ୍ବ ଭ୍ରମଣ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର