ନୂଆଦିଲ୍ଲୀ: ଏଣିକି ପ୍ରତି ମାସରେ ହେବ ମକ୍ ଡ୍ରିଲ୍ । ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ଥିବା ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ ଏବଂ କିପରି ସତର୍କ ରହିବେ । ହମଲା ହେଲେ ନିଜକୁ କିପରି ସୁରକ୍ଷିତ ରଖିବେ ସେନେଇ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ଅଭ୍ୟାସରେ ପକାଯିବ । ଅପରେସନ୍ ସିନ୍ଦୂର ପରେ ୩ ଦିନ କାଳ ପାକ୍ ସୀମାବର୍ତ୍ତୀ ରାଜ୍ୟରେ ଯେଉଁ ଭଳି ଭାବେ ଘନ ଘନ ଗୁଳିମାଡ, ଡ୍ରୋନ୍ ହମଲା ହେଲେ, ଆଗାମୀ ଦିନରେ ସେଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ମାସ ମକ୍ ଡ୍ରିଲ୍ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ଯମରେ ଖବର ପ୍ରକାଶ ପାଇଛି ।
ତେବେ ଦିନକ ପରେ ପୁଣି ହେବ ମକ୍ଡ୍ରିଲ୍ । ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧ ମେ’ରେ ଏହି ଅଭ୍ୟାସ କରାଯିବ । ଗୁରୁବାର ୨୯ ମେ ଦିନ ଏହି ୪ ରାଜ୍ୟରେ ମକ୍ଡ୍ରିଲ୍ ହେବାର ଥିଲା । ହେଲେ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି । ବଦଳରେ ଶନିବାର ଯୁଦ୍ଧାଭ୍ୟାସ ହେବ ।
ସେପଟେ ୭ ମେ’ରେ ସାରା ଦେଶରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହାପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା ଆକ୍ସନ ନିଆଯାଇଥିଲା । ପ୍ରଥମେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ଯାହାକୁ ଭାରତର ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲା । ପାକିସ୍ତାନର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ଭୟରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ।