ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ଅନୁଯାୟୀ ୨୦୧୪ରୁ ଆଧୁନିକ ଭାରତର ଇତିହାସ ଆରମ୍ଭ ହେବା ଉଚିତ ବୋଲି ଆଜି ବରିଷ୍ଠ ଆଡ୍ଭୋକେଟ୍ ତଥା ରାଜ୍ୟସଭା ସାଂସଦ କପିଳ ସିବଲ କହିଛନ୍ତି।
‘ଏନ୍ସିଇଆର୍ଟି’ ପ୍ରଣିତ ୧୨ଶ ଶ୍ରେଣୀ ପାଠ୍ୟ ପୁସ୍ତକରୁ ମୋଗଲ ଦରବାର ସମ୍ପର୍କିତ ପରିଚ୍ଛେଦ (ଲେସନ୍) ବାଦ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ‘ପିଟିଆଇ’ ରିପୋର୍ଟ କରିବା ପରେ ସିବଲ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
‘ଟୁଇଟ୍’ କରି ସିବଲ କହିଛନ୍ତି, ‘ଏନ୍ସିଇଆର୍ଟି’ ପାଠ୍ୟ ପୁସ୍ତକ ଉଠାଇ ଦେଇଥିବା ବିଷୟଗୁଡ଼ିକ ହେଉଛି, ଗାନ୍ଧୀଜୀଙ୍କ ହିନ୍ଦୁ ମୁସଲମାନ ଏକତା ଅନୁସରଣ, ‘ଆର୍ଏସ୍ଏସ୍’ ଉପରେ ନିଷେଧାଦେଶ, ଗୁଜରାଟ ଦଙ୍ଗା ସଂକ୍ରାନ୍ତ ସମସ୍ତ ଦୃଷ୍ଟାନ୍ତ ଓ ସମସାମୟିକ ଭାରତରେ ସାମାଜିକ ଅନ୍ଦୋଳନ ପାଲଟୁଥିବା ପ୍ରତିବାଦ।
ମୋଦୀଙ୍କ ଭାରତ ଅନୁଯାୟୀ ୨୦୧୪ରୁ ଆଧୁନିକ ଭାରତ ଇତିହାସ ଆରମ୍ଭ ହେବା ଉଚିତ ବୋଲି ସିବଲ୍ କହିଛନ୍ତି।
ପୂର୍ବରୁ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ମୋଗଲ ଦରବାର ସମ୍ବନ୍ଧରେ କିଛି ଅଂଶ ହଟାଇ ଦିଆଯାଇଥିବା ଦ୍ବାଦଶ ଶ୍ରେଣୀର ନୂଆ ଇତିହାସ ପୁସ୍ତକକୁ ଚଳିତ ଶିକ୍ଷା ବର୍ଷରୁ ଉତ୍ତର ପ୍ରଦେଶ ସରକାରୀ ସ୍କୁଲ୍ ସବୁ ପ୍ରଚଳନ କରିବେ।
କିନ୍ତୁ, ମୋଗଲ୍ମାନଙ୍କ ଉପରେ ଥିବା ପରିଚ୍ଛେଦ ବା ‘ଲେସନ୍’କୁ ‘ସିବିଏସ୍ଇ’ ପାଠ୍ୟ ପୁସ୍ତକରୁ ବାଦ ଦିଆଯିବା କଥା ମିଥ୍ୟା ବୋଲି ‘ଏନ୍ସିଇଆର୍ଟି’ ନିର୍ଦେଶକ ଦିନେଶ ପ୍ରସାଦ ସକ୍ଲାନି ମଙ୍ଗଳବାର ଦିନ ସ୍ପଷ୍ଟ କରି ଦେଇଛନ୍ତି।
‘ଏନ୍ସିଇଆର୍ଟି’ କହିବା ଅନୁସାରେ, ୨୦୨୩-୨୪ ଶିକ୍ଷା ବର୍ଷ ନିମନ୍ତେ ଇତିହାସ, ହିନ୍ଦୀ ପାଠ୍ୟପୁସ୍ତକ ଓ ଦ୍ବାଦଶ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକ ସଂଶୋଧନ କରାଯାଇଛି।