ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା

ନୁଆଦିଲ୍ଲୀ: ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ପ୍ରମୁଖ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଫଳାଫଳ ଆଗାମୀ କେଇ ସପ୍ତାହ ଭିତରେ ହସ୍ତଗତ ହୋଇପାରିବ। ସବୁ କିଛି ଠିକ୍‌ଠାକ୍‌ ରହିଲେ ଆଗାମୀ ଡିସେମ୍ବର ସୁଦ୍ଧା ଏହି ଦୁଇ କମ୍ପାନି ସେମାନଙ୍କ ଟିକାର ବଜାର ପ୍ରବେଶ କରାଇପାରିବେ ବୋଲି ଆଶାବାଦୀ ଅଛନ୍ତି। ଆମେରିକା ଓ ୟୁରୋପରେ ଶୀତ ପଡ଼ୁପଡ଼ୁ ଅଭିନବ କରୋନାଭୂତାଣୁ ସଂକ୍ରମଣର ବ୍ୟାପକତା ବୃଦ୍ଧି ପରିପ୍ରେକ୍ଷୀରେ ମଡର୍ଣ୍ଣା ଓ ଫାଇଜର ଟିକା ଖୁବ୍‌ କାମରେ ଆସିବ ବୋଲି ଆଶା କରାଯାଉଛି। ପୂର୍ବରୁ ଅକ୍ଟୋବର ମାସ ଶେଷ ସୁଦ୍ଧା ନୈଦାନିକ ପରୀକ୍ଷଣ ଫଳାଫଳ ପାଇବାକୁ ଆକଳନ କରିଥିବା ଫାଇଜର କମ୍ପାନି ଚଳିତବର୍ଷ ସୁଦ୍ଧା ଆମେରିକାରେ ନିଜ ଟିକାର ୪ କୋଟି ମାତ୍ରା ଯୋଗାଇଦେବାକୁ ଆଶା ରଖିଛି।

ସେହିପରି ମଡର୍ଣ୍ଣା କମ୍ପାନି ମଧ୍ୟ ଡିସେମ୍ବର ଭିତରେ ନିଜ ଟିକାର ୨ କୋଟି ମାତ୍ରା ବଜାରକୁ ଛାଡ଼ିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ବିଗତ ଦୁଇ ମାସ ହେଲା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚଳାଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ପ୍ରାରମ୍ଭରେ ସାମାନ୍ୟ ପ୍ରତିକୂଳ ପ୍ରତିକ୍ରିୟାକୁ ବାଦ୍‌ ଦେଲେ ତାହା ଅଦ୍ୟାବଧି ଫଳପ୍ରଦ ସାବ୍ୟସ୍ତ ହୋଇଛି। ତାହା ପ୍ରାପ୍ତବୟସ୍କ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଉତ୍ତମ ରୋଗପ୍ରତିରୋଧକତା ସୃଷ୍ଟି କରିପାରୁଥିବା ସ୍ପଷ୍ଟ ହୋଇଛି। ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ସଂଖ୍ୟକ କୋଭିଡ୍‌ ଟିକା ବିକଶିତ ହୋଇଥିବା ବେଳେ ସେଥିରୁ ୪୪ଟି ସେମାନଙ୍କ ନୈଦାନିକ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର