ମଡର୍ଣ୍ଣା, ଫାଇଜର ଟିକା ପୁରୁଷଙ୍କଠାରେ ଭଲ କାମଦେଉଛି: ସର୍ବେକ୍ଷଣ

ନ୍ୟୁୟର୍କ: ମହାମାରୀ କୋଭିଡ୍‌ର ମୁକାବିଲା ପାଇଁ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଟିକାକରଣ ଜାରି ରହିଛି। ଏଥିରେ ବିଭିନ୍ନ କମ୍ପାନି ଦ୍ବାରା ବିକଶିତ ଟିକାଗୁଡ଼ିକର ଉପଯୋଗ କରାଯାଉଛି। ଏ ପରିପ୍ରେକ୍ଷୀରେ ବିଶେଷ କରି ମଡର୍ଣ୍ଣା ଓ ଫାଇଜର-ଏନ୍‌ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା ପୁରୁଷଙ୍କ ଠାରେ ଅପେକ୍ଷାକୃତ ଉତ୍ତମ ଫଳ ଦେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆମେରିକରାର ମିଚିଗାନ୍‌ ବିଶ୍ବବିଦ୍ୟାଳୟର ଗବେଷକ ମୋର୍ଟେଜା ମେହମୌଦିଙ୍କ ଦ୍ବାରା କରାଯାଇଥିବା ଅନୁଧ୍ୟାନରେ ଏ ପ୍ରକାର ଅଣୁ ଔଷଧରେ ଲିଙ୍ଗର ଉଲ୍ଲେଖନୀୟ ଭୂମିକା ରହିଥିବା ଜଣାଯାଇଛି। ନେଚର କମ୍ୟୁନିକେସନ୍‌ସ ପତ୍ରିକାରେ ପ୍ରକାଶିତ ତାଙ୍କ ଗବେଷଣାତ୍ମକ ସନ୍ଦର୍ଭର ତଥ୍ୟ ଅନୁଯାୟୀ, ମନୁଷ୍ୟ ଶରୀରର ରୋଗପ୍ରତିରୋଧକତା ପ୍ରଣାଳୀରେ ଆବଶ୍ୟକ ସକ୍ରିୟ ଉପାଦାନ ପହଞ୍ଚାଇବା ଲାଗି ଉପରୋକ୍ତ ଉଭୟ ଧରଣର ଟିକାରେ ଅଣୁକଣିକାଗୁଡ଼ିକୁ ବିନିଯୋଗ କରାଯାଇଛି।

ତେବେ ଏହି ଅଣୁକଣିକାଗୁଡ଼ିକର କାର୍ଯ୍ୟଦକ୍ଷତାରେ ଲିଙ୍ଗବୈଷମ୍ୟର ମଧ୍ୟ ଭୂମିକା ରହିଥିବା ମେହମୌଦି ଜାଣିପାରିଛନ୍ତି। ମଡର୍ଣ୍ଣା କମ୍ପାନିର ଟିକା ପୁରୁଷଙ୍କ ଠାରେ ୯୫.୪ ପ୍ରତିଶତ ଫଳପ୍ରଦ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା ୯୩.୧ ପ୍ରତିଶତ ରହିଛି। ସେହିପରି ଫାଇଜର ଟିକାର ଫଳପ୍ରଦତା ପୁରୁଷଙ୍କ ପାଇଁ ୯୬.୪ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ପାଇଁ ତାହା ୯୩.୭ ହୋଇଛି। ଏହା ପଛରେ ରହିଥିବା କାରଣଟି ହେଲା, ମହିଳାଙ୍କ ଠାରେ କରୋନାଭୂତାଣୁର ଘାତକ କୋଷଗୁଡ଼ିକ ଅପେକ୍ଷାକୃତ କମ୍‌ ଅଣୁକଣିକା ଉପାଦାନ ଗ୍ରହଣ କରିଥାନ୍ତି। ସୁତରାଂ ତାହା ଅପେକ୍ଷାକୃତ କମ୍‌ ଫଳପ୍ରଦ ସାବ୍ୟସ୍ତ ହେଉଛି। ଏପରି ଭାବେ ପୁରୁଷ ଓ ମହିଳାଙ୍କ ଠାରେ ଟିକାର ରୋଗପ୍ରତିରୋଧକତାରେ ଫରକ ଦେଖାଦେଉଛି ବୋଲି ମେହମୌଦି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର