ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା, ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଲେ ଡିସିଜିଆଇ

ନୂଆଦିଲ୍ଲୀ: ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା | କୋଭିସିଲ୍ଡ, କୋଭାକ୍ସିନ୍, ସ୍ପୁଟ୍ନିକ୍ ଭି ପରେ ଏବେ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି | ଫାର୍ମା କମ୍ପାନି ସିପଲା ଟିକାର ଜରୁରୀକାଳିନ ବ୍ୟବହାର ସହ ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ|(ଡିସିଜିଆଇ)ରୁ ଅନୁମତି ମାଗିଥିବା ବେଳେ ଆଜି ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି | ଏହା ସହ ମଡର୍ଣ୍ଣା କୋଭିଡ -୧୯ ଟିକା ଆମଦାନୀ କରି ଦେଶର ବଜାରକୁ ଆଣିବା ପାଇଁ ସିପଲାଙ୍କୁ ଅନୁମତି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପୌଲ |

indiatoday.in

ମଡର୍ଣ୍ଣା କମ୍ପାନି ପୂର୍ବରୁ ଘୋଷଣା କରି କହିଥିଲା ଯେ, ଡାଟା ସେଫ୍ଟି ମନିଟରିଂ ବୋର୍ଡର ତତ୍ୱାବଧାନରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସଫଳତାର ହାର ଆସିଛି ୯୪. ୫ ପ୍ରତିଶତ । ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ ଅଫିସର ଷ୍ଟିଫେନ୍ ବାନସେଲ୍ କହିଛନ୍ତି, ଏହି ଭ୍ୟାକ୍ସିନ୍ କୋଭିଡ-୧୯ ମହାମାରୀରୁ ରକ୍ଷା କରି ପାରିବ । କେବଳ ଆମେରିକାରେ କମ୍ପାନି ପକ୍ଷରୁ ୩୦ ହଜାର ଲୋକଙ୍କ ଶରୀରରେ ଏହି ପରୀକ୍ଷା କରାଯାଇଥିଲା । ଏବଂ ଏଥିରେ ଯେଉଁ ସଫଳତାର ହାର ଆସିଲା ତାହା ସମସ୍ତଙ୍କୁ ଖୁସି କରିଦେଲା । କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାର ମଡର୍ଣ୍ଣା କମ୍ପାନିରେ ୧ ବିଲିୟନ ଡଲାର ଅଥାତ୍ ସାଢେ ୭ ହଜାର କୋଟି ଟଙ୍କା ଗବେଷଣାରେ ଲଗାଇଥିଲେ । ଏହାଛଡା ୧୦ କୋଟି ଟିକା ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି ଆମେରିକା ସରକାର । ଟିକାର ସଫଳତା ହାର ୯୦ ପ୍ରତିଶତରୁ ଅଧିକ ରହିଛି । ମଡର୍ଣ୍ଣା ଟିକାର ଆଉ ଏକ ପ୍ରମୁଖ ଦିଗ ହେଉଛି ଏହାକୁ ଫାଇଜର ଟିକା ଭଳି ମାଇନସ୍ ୭୦ ଡିଗ୍ରୀ ସେଲସିୟସରେ ରଖିବାକୁ ପଡିବ ନାହିଁ ।

ସମ୍ବନ୍ଧିତ ଖବର