ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଫେରିବାରେ ମୋଦୀ ତୃତୀୟ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ନେହରୁ ଓ ଇନ୍ଦିରାଙ୍କ ପରେ ମୋଦୀ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ଯିଏ କି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ଦ୍ବିତୀୟ ଥର ସରକାର ଗଠନ କରିବାରେ ସଫଳ ହୋଇଛନ୍ତି। ଦେଶରେ ଆଜି ଭୋଟ ଗଣତି ଚାଲିଛି। ତେବେ ଗଣତି ଧାରାରୁ ଯାହା ଜଣାପଡ଼ିଛି ବିଜେପି ୩୦୩ ଆସନ ଛୁଇଁଛି। ଦେଶରେ ୫୪୩ଟି ଆସନ ମଧ୍ୟରୁ ୫୪୨ଟି ଆସନରେ ନିର୍ବାଚନ ‌ହୋଇଥିଲା। ତାମିଲନାଡ଼ୁର ଭେଲୋରରେ ନିର୍ବାଚନକୁ ବାତିଲ କରାଯାଇଛି। ତେବେ ବିଜେପି ଏକାକୀ ୩୦୦ ସଂଖ୍ୟା ଟପିବାରେ ସଫଳ ହେବା ବିରୋଧୀ ଦଳଙ୍କୁ ସ୍ତବ୍ଧ କରିଦେଇଛି। କେବଳ ସେତିକି ନୁହେଁ, ୨୦୧୪ରେ ଦଳ ପାଇଥିବା ୨୮୨ଟି ଆସନ ତୁଳନାରେ ଚଳିତ ଥର ଅଧିକ ଆସନ ପାଇବାରେ ସଫଳ ହୋଇଛି। ରାହୁଲଙ୍କ ଅଣ ଜେ‌ଜେ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ବରେ କଂଗ୍ରେସ ଦଳ ୧୯୫୧-୫୨ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ତିନି ଚତୁର୍ଥାଂଶ ଆସନ ହାସଲ କରି ସରକାର ଗଢ଼ିଥିଲା। ଏହାପରେ ନେହରୁ ୧୯୬୨ ଏବଂ ୧୯୬୭ ନିର୍ବାଚନରେ ମଧ୍ୟ ସଂଖ୍ୟା ଗରିଷ୍ଠତା ସହିତ ଲାଗାତାର ୩ ଥର ସରକାର ଗଢ଼ି ପାରିଥିଲେ। ୧୯୫୧-୫୨ରେ କଂଗ୍ରେସ ମୋଟ ୪୮୯ ଆସନ ମଧ୍ୟରୁ ୩୬୪ଟି ଆସନରେ ବିଜୟୀ ହୋଇଥିଲା। ସେହିଭଳି ୧୯୫୭ରେ ଦଳ ୩୭୧ଟି ଆସନରେ ଜିତିଥିଲା। ୧୯୬୨ ନିର୍ବାଚନରେ ୪୯୪ଟି ଆସନ ମଧ୍ୟରୁ କଂଗ୍ରେସ ୩୬୧ଟି ଆସନରେ ଜିତି ଶାସନ କ୍ଷମତା ଅକ୍ତିଆର କରିଥିଲା। ସେହିଭଳି ରାହୁଲଙ୍କ ଜେଜେ ମାଆ ଇନ୍ଦିରା ଗାନ୍ଧୀ ୧୯୬୭ରେ ସଂଖ୍ୟାଗରିଷ୍ଠତା ପାଇ କ୍ଷମତାକୁ ପ୍ରଥମ ଥର ପାଇଁ ଆସିଥିଲେ। ୫୨୦ ଆସନ ମଧ୍ୟରୁ ୨୮୩ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଏହାପରେ ୧୯୭୧ ନିର୍ବାଚନରେ ମଧ୍ୟ ଇନ୍ଦିରା ଦ୍ବିତୀୟ ଥର ପାଇଁ ସଂଖ୍ୟା ଗରିଷ୍ଠତା ସହ ଶାସନ କ୍ଷମତାକୁ ଫେରିଥିଲେ। ୧୯୭୧ରେ କଂଗ୍ରେସ ୬୭ ତୁଳନାରେ ଅଧିକ ଅର୍ଥାତ୍ ୩୫୨ଟି ଆସନରେ ବିଜୟୀ ହୋଇଥି‌ଲା।

ସମ୍ବନ୍ଧିତ ଖବର