୭୧ରେ ମୋଦୀ: ରାଷ୍ଟ୍ରପତି, ନେତୃବୃନ୍ଦଙ୍କ ଶୁଭେଚ୍ଛା

ଦେଶବ୍ୟାପୀ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରି ରାଷ୍ଟ୍ରପତି ଏକ ଟ୍ବିଟ୍‌ କରିଛନ୍ତି। ମୋଦୀଙ୍କର ଦୀର୍ଘ ଏବଂ ସ୍ବାସ୍ଥ୍ୟପ୍ରଦ ଜୀବନ ପାଇଁ ସେ କାମନା କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କୟା‌ ନାଇଡୁ କହିଛନ୍ତି, ମୋଦୀଙ୍କ ଅସାଧାରଣ ଦୂରଦୃଷ୍ଟି ଉଦାହରଣୀୟ ନେତୃତ୍ବ ଏବଂ ସମର୍ପିତ ସେବା ପାଇଁ ଦେଶର ବିକାଶ ହୋଇଛି। ନାଇଡୁ ମଧ୍ୟ ମୋଦୀଙ୍କୁ ଚିଠି ଲେଖି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ମୋଦୀଙ୍କର ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଡ. ଜିତେନ୍ଦ୍ର ସିଂହ ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା‌ ଜଣାଇଛନ୍ତି। ଆଜି କଂଗ୍ରେସ ଦେଶବ୍ୟାପୀ ‘ଜାତୀୟ ବେକାରୀ ଦିବସ’ ଭାବେ ପାଳନ କରିଛି ଏବଂ ରାହୁଲ ଗାନ୍ଧି ଟ୍ବିଟ୍‌ କରି ଅତି ସଂକ୍ଷିପ୍ତ ଭାବେ ‘ହାପି ବାର୍ଥଡେ୍‌ ମୋଦୀଜୀ’ କହିଛନ୍ତି।

ଶୁକ୍ରବାର ଦିନସାରା ଟ୍ବିଟର୍‌ରେ ମୋଦୀଙ୍କ ପାଇଁ ଜନ୍ମଦିନ ଶୁଭେଚ୍ଛାର‌ ସୁଅ ଛୁଟିଥିଲା। ଏବଂ ‘ହାପି ବାର୍ଥ‌ଡେ ମୋଦୀଜୀ’‌ ଟ୍ରେଣ୍ଡ୍‌ କରିଥିଲା। ଦେଶବ୍ୟାପୀ ବିଭିନ୍ନ ଅଂଚଳ ଟ୍ବିଟର୍‌ ୟୁଜରମାନେ ମୋଦୀଙ୍କୁ ଜନ୍ମଦିନର ‌ଶୁଭେଚ୍ଛା ଜଣାଇ ତାଙ୍କ ସ୍ବାସ୍ଥ୍ୟପ୍ରଦ ଜୀବନ ଏବଂ ଦୀର୍ଘାୟୁ କାମନା କରିଛନ୍ତି।

ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି। ଶୁକ୍ରବାରଠାରୁ ବିଜେପି ୨୦ ଦିନିଆ ‘ସେବା ଏବଂ ସମର୍ପଣ ଅଭିଯାନ’ ଆରମ୍ଭ କରିଛି। ମୋଦୀଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବାପାଇଁ ବାରଣାସୀର ଭାରତ ମାତା ମନ୍ଦିରରେ ୭୧,୦୦୦ ଦୀପ ଜଳାଯାଇଛି। ବିଜେପି ଆଜି ୧୪ କୋଟି ରାସନ ବ୍ୟାଗ୍‌ ବାଣ୍ଟିଛି। ଏହି ବ୍ୟାଗ୍‌ରେ ‘ଥାଙ୍କ୍‌ ୟୁ ମୋଦୀଜୀ’ ଲେଖା ଅଛି। ଦେଶବ୍ୟାପୀ ବିଭିନ୍ନ ପୋଷ୍ଟ୍‌ ଅଫିସ୍‌ରୁ ମୋଦୀଙ୍କ ଫଟୋ ଥିବା ୫ କୋଟି ପୋଷ୍ଟକାର୍ଡ ମେଲ୍‌ କରାଯାଇଛି। ବିଭିନ୍ନ ରାଜ୍ୟରେ ରକ୍ତଦାନ ଶିବିର, ସ୍ବଚ୍ଛତା କାର୍ଯ୍ୟକ୍ରମ ଏବଂ ମାଗଣା ରାସନ ବଣ୍ଟାଯାଉଛି।

ମୋଦୀଙ୍କ ଜନ୍ମଦିନରେ ଦଲାଇଲାମାଙ୍କ ଚିଠି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଦଲାଇଲାମା ଏକ ଚିଠି ମାଧ୍ୟମରେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଏବଂ ସ୍ବାସ୍ଥ୍ୟପ୍ରଦ ଜୀବନର କାମନା କରିଛନ୍ତି। ତିବ୍ଦତୀୟ ଧର୍ମଗୁରୁ କହିଛନ୍ତି, ଭାରତର ବହୁ ପୁରୁଣା ପରମ୍ପରା ‘ଅହିଂସା’ ଏବଂ ‘କରୁଣା’ ଆଜିର ବିଶ୍ବରେ କେବଳ ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଏହାର ଆବଶ୍ୟକତା ମଧ୍ୟ ବହୁତ ଅଧିକ ରହିଛି। କରୋନା ମହାମାରୀ ଭଳି ଗୁରୁତ୍ବପୂର୍ଣ୍ଣ ଚ୍ୟାଲେଂଜ ସତ୍ତ୍ବେ ମୋଦୀ ତାଙ୍କ କାର୍ଯ୍ୟ ସଫଳତାର ସହ ବଜାୟ ରଖିଥିବାରୁ ଦଲାଇଲାମା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମଧ୍ୟପ୍ରଦେଶରେ ୭୧ ଫୁଟ୍‌ ଲମ୍ବ ସିରିଞ୍ଜ୍‌ କେକ୍‌ କଟାଗଲା
ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି କର୍ମୀମାନେ ଆଜି ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଲାଲଘାଟି ଚୌରହାରେ ୭୧ ଫୁଟ୍‌ ଲମ୍ବା ଏକ କେକ୍‌ କାଟିଛନ୍ତି। କେକ୍‌ଟି ସିରିଞ୍ଜ୍‌ ଆକୃତିର ଥିଲା। ମୋଦୀଙ୍କୁ କୋଭିଡ୍‌ ଟିକାକରଣ ପାଇଁ ଧନ୍ୟବାଦ ଜଣା‌ଇ ବିଜେପି କର୍ମୀମାନେ ଏହି କେକ୍‌ କାଟିଛନ୍ତି। ଦଳୀୟ କର୍ମୀମାନେ ମୋଦୀଙ୍କ ଫଟୋ ଥିବା ଧଳା ଟିସାର୍ଟ ଏବଂ ମାସ୍କ ପିନ୍ଧିଥିଲେ।

ସମ୍ବନ୍ଧିତ ଖବର