କଂଗ୍ରେସ ବିରୋଧରେ ଗର୍ଜିଲେ ମୋଦି:ଦେଶର ସ୍ୱର୍ଣ୍ଣିମ ଇତିହାସରେ ‘ଜରୁରୀ ପରିସ୍ଥିତି’ କଳଙ୍କ

ନୂଆଦିଲ୍ଲୀ: ଦେଶର ସ୍ୱର୍ଣ୍ଣିମ ଇତିହାସରେ ‘ଜରୁରୀ ପରିସ୍ଥିତି’ ଏକ କଳଙ୍କ ଭାବେ ରହିଛି । ଏହି କଳାଦିନକୁ ପାଳନ କରିବା କେବଳ କଂଗ୍ରେସକୁ ସମାଲୋଚନା କରିବା ପାଇଁ ନୁହେଁ, ବରଂ ଗଣତନ୍ତ୍ର ଏବଂ ସମ୍ବିଧାନକୁ ସୁରକ୍ଷା କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଏହାର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଜେପି ଆଜି ଦେଶବ୍ୟାପୀ ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତିର ବାର୍ଷିକୀକୁ କଳାଦିନ ଭାବେ ପାଳନ କରୁଛି ଏବଂ ମୁମ୍ବାଇରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଛି । କେବଳ ଗୋଟିଏ ପରିବାରକୁ କ୍ଷମତା ଦେବା ଏବଂ ଏହି ପରିବାରର ରାଜନୈତିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ଦେଶକୁ ଏକ ଜେଲ୍‌ରେ ପରିଣତ କରିଦିଆଯାଇଥିଲା। ସମସ୍ତେ ଏଥିପାଇଁ ଭୟ ଓ ଆତଙ୍କ ଭିତରେ ରହିଥିଲେ।
କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦି କହିଥିଲେ ଯେ ଗୋଟିଏ ପରିବାରର ସ୍ୱାର୍ଥ ରକ୍ଷା ପାଇଁ ସମ୍ବିଧାନର ଅପବ୍ୟବହାର କରାଯାଇଥିଲା ଏବଂ ସବୁ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଜରୁରୀ ପରିସ୍ଥିତି ବେଳେ ବନ୍ଦୀ କରି ରଖାଯାଇଥିଲା। ଏବେ ବି ଜରୁରୀ ପରିସ୍ଥିତି ସମୟର ମାନସିକତାରୁ କଂଗ୍ରେସ ମୁକ୍ତ ହୋଇନାହିଁ। ଯେତେବେଳେ ବି କଂଗ୍ରେସ ନିଜର ରାଜନୈତିକ ସଙ୍କଟକୁ ସାମ୍ନା କରୁଛି, ସେତେବେଳେ ଜନସାଧାରଣରେ ଅଯଥା ଭୟ ଓ ବିଭ୍ରାନ୍ତି ସୃଷ୍ଟି କରିଚାଲିଛି। ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ଆଳରେ କଂଗ୍ରେସ ଲୋକଙ୍କ ଭିତରେ ଲଗାତାର ଭୟ ସୃଷ୍ଟି କରିଚାଲିଛି ବୋଲି ମୋଦି କହିଛନ୍ତି। ପରିବାରର ନେତାମାନେ କେବେ ଭାବି ନଥିଲେ ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିବ ଏବଂ ସେମାନଙ୍କୁ ଜାମିନରେ ଆସିବାକୁ ହେବ। ମୋଦି କହିଛନ୍ତି ଯେ ତାଙ୍କ ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧକୁ କାଏମ ରଖିଛି ଏବଂ ସମ୍ବିଧାନର ସୁରକ୍ଷା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଜରୁରୀ ପରିସ୍ଥିତି ସମୟରେ କ’ଣ ଘଟିଥିଲା ତାହା ଆଜିର ଯୁବପିଢ଼ିଙ୍କ ବିଶେଷ ଧାରଣା ନାହିଁ। ବିନା ସ୍ୱାଧୀନତାରେ ବଞ୍ଚିବା କିଭଳି କଷ୍ଟ ସେମାନେ ସେ ସଂପର୍କରେ ଜାଣି ନାହାନ୍ତି। ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା କରିବା ପାଇଁ ଏହା ଏକ ମାଧ୍ୟମ ବୋଲି ମୋଦି କହିଥିଲେ।
ମୋଦିଙ୍କୁ ଔରଙ୍ଗଜେବ୍‌ କହିଲା କଂଗ୍ରେସ
ନୂଆଦିଲ୍ଲୀ: ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବାର ୪୩ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତୁଳନା ହିଟଲରଙ୍କ ସହ କରିଥିବାରୁ କଂଗ୍ରେସ ଏହାର ଜବାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ଔରଙ୍ଗଜେବଙ୍କ ସହ କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି ଯେ ଦିଲ୍ଲୀରେ ଔରଙ୍ଗଜେବଙ୍କ ଶାସନଠାରୁ ଏକଛତ୍ରବାଦୀ ମୋଦି ଅଧିକ ନିଷ୍ଠୁର ହୋଇ କାମ କରୁଛନ୍ତି ଏବଂ ଦେଶକୁ ୪୩ ବର୍ଷ ତଳର ଜରୁରୀ ସମୟର ପାଠ ପଢ଼ାଉଛନ୍ତି। ମୋଦିଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣାକୁ ଏହା ଲୁଚାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଇନ୍ଦିରା ଦେଶର ସବୁଠାରୁ ବଡ଼ ନେତ୍ରୀ ଏବଂ ଏହି ସତ୍ୟକୁ ବିଜେପି ଲୁଚାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର