ମହାରାଷ୍ଟ୍ର ଓ ହରିୟାଣାରେ ପୁଣି ଲୋକମାନେ ବିଜେପି ଉପରେ ଭରସା କରିଛନ୍ତିି : ମୋଦୀ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନର୍ବାଚନ ଫଳାପଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟଠାରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ ଗତଥର ମହାରାଷ୍ଟ୍ରରେ ବିଜେପି ବହୁମତଠାରୁ କମ ଆସନ ପାଇଥିଲା, ହରିୟାଣାରେ ବହୁମତଠାରୁ ମାତ୍ର ୨ଟି ଆସନ ଅଧିକ ଜିତିଥିଲା । ଏହା ସତ୍ତ୍ୱେ ଦଳ ଦୁଇଜଣ ନୂଆ ବ୍ୟକ୍ତି ଦେବେନ୍ଦ୍ର ଫଡନବୀସ ଓ ମନୋହରଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଏମାନଙ୍କର ପୂର୍ବରୁ ମୁଖ୍ୟମନ୍ତ୍ରୀ ତ ଦୂରର କଥା ମନ୍ତ୍ରୀଭାବରେ କୌଣସି ଅଭିଜ୍ଞତା ନଥିଲା । ତଥାପି ଏମାନେ ସମସ୍ତଙ୍କୁ ସାଙ୍ଗରେ ନେଇ ଦୁଇ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଲେ । ସେଥିପାଇଁ ଲୋକମାନେ ପୁଣି ଥରେ ବିଜେପି ଉପରେ ଭରସା ପ୍ରକଟ କରିଛନ୍ତି । ଏଥର ମଧ୍ୟ ଏମାନେ ସମସ୍ତଙ୍କ ସହଯୋଗରେ ମହାରାଷ୍ଟ୍ର ଓ ହରିୟାଣାକୁ ବିକାଶ ପଥରେ ଆଗେଇ ନେବେ ବୋଲି ମୋଦୀ ଆଶା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଆଜିକାଲି କୌଣସି ଦଳ ୫ ବର୍ଷ ପରେ କ୍ଷମତା ରଖିପାରୁନାହାନ୍ତି, କିନ୍ତୁ ବିଜେପି ପୁଣି ଜିତିବା ଏକ ବିରଳ ଘଟଣା ।

ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ୨୮୮ ଟି ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟ ୧୬୨ଟି ଆସନରେ ବିଜୟ ହାସଲ କରିଛନ୍ତି ବା ଆଗୁଆ ଅଛନ୍ତି । ବିରୋଧୀ କଂଗ୍ରେସ-ଏନସିପି ୯୫ଟି ଆସନ ପାଇଛନ୍ତି । ସେହିପରି ହରିୟାଣାରେ ବହୁମତ ପାଇଁ ୪୬ଟି ଆସନ ଆବଶ୍ୟକ ହେଉଥିବାବେଳେ ବିଜେପି ୪୦ଟି ଓ କଂଗ୍ରେସ ୩୧ ଓ ଜେଜେପି ୧୦ଟି ଆସନରେ ବିଜୟ ହାସଲ କରିଛନ୍ତି ବା ଆଗୁଆ ଅଛନ୍ତି ।

ସମ୍ବନ୍ଧିତ ଖବର