ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ଭାରତୀୟ ଗଣତନ୍ତ୍ରର ଶକ୍ତିକୁ ଦର୍ଶାଉଛି : ମୋଦୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଦ୍ୱାରା ଅଯୋଧ୍ୟା ମାମଲାର ଐତିହାସିକ ରାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଜାତି ଉଦ୍ଦେଶ୍ୟରେ ଏକ ସମ୍ବୋଧନ କରି ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ରାୟ ଭାରତୀୟ ନ୍ୟାୟପାଳିକା ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ସୁପ୍ରିମକୋର୍ଟ ଯେଭଳି ଅତ୍ୟନ୍ତ ଧୈର୍ଯ୍ୟର ସହିତ ସବୁ ପକ୍ଷର ମତାମତ ଶୁଣିବା ସହ ମାମଲାର ଫଇସଲା କଲେ ତାହା ଅଭିନ୍ଦନୀୟ । ଏହା ଆଦୌ ସରଳ କାର୍ଯ୍ୟ ନୁହେଁ। ଏହା ଦ୍ବାରା ସୁପ୍ରିମକୋର୍ଟ ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

କୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ଶୁଣାଇସାରିଛନ୍ତି । ଏହା ପରେ ଭାରତବାସୀଙ୍କ ପାଇଁ ରାଷ୍ଟ୍ରନିର୍ମାଣର ଦାୟିତ୍ୱବୋଧ ଆହୁରି ବଢିଯାଇଛି । ଆମ ଦେଶ ଆଗରେ ଆହୁରି ଅନେକ ଆହ୍ଵାନ ଓ ସମସ୍ୟା ରହିଛି । ଆମକୁ ମିଳିମିଶି ସେଥିପାଇଁ କାମ କରିବାକୁ ପଡିବ । ଯଦି କାହା ମନରେ ‌କାହାକୁ ନେଇ କୌଣସି କଟୁତା ଥାଏ ‌ତେବେ ତାହାକୁ ଜଳାଞ୍ଜଳି ଦେବାକୁ ପଡ଼ିବ। କାରଣ ନୂଆ ଭ‌ାରତରେ ଭୟ, କଟୂତା ଓ ସନ୍ଦେହ ରହିବା ଅନୁଚିତ।

ସେ କହିଛନ୍ତି ଆଜି ନଭେମ୍ବର ୯ । ଏହି ଦିନ ଜର୍ମାନର ବର୍ଲିନ ପ୍ରାଚୀର ଭଙ୍ଗାଯାଇ ପଶ୍ଚିମ ଓ ପୂର୍ବ ଜର୍ମାନ ଏକତ୍ରିତ ହୋଇଥିଲେ । ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର କରିଡର ଖୋଲିଥିଲା । ଏଣୁ ଏହି ଦିନଟି ଯୋଡ଼ିବାର ଦିନ । ଏଣୁ ଆମକୁ ଏକାଠି ହୋଇ ଦେଶ ନିର୍ମାଣ ପାଇଁ କାମ କରିବାକୁ ହେବ । ରାମମନ୍ଦିର ବିବାଦ ବିଗତ ଅନେକ ପୀଢିକୁ ପ୍ରଭାବିତ କରିଥିଲେ ମଧ୍ୟ ଆଜିଠାରୁ ଆମକୁ ସଂକଳ୍ପ କରିବାକୁ ହେବ ଯେ ଆମେ ମିଳିମିଶି ଆଗକୁ ବଢିବା ।

ସମ୍ବନ୍ଧିତ ଖବର