ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କୀ ବାତ୍'ର ୭୬ତମ ସଂସ୍କରଣରେ ଘାତକ କୋଭିଡ୍ ସଂକ୍ରମଣ ବିରୋଧରେ ମୁହାଁମୁହିଁ ଲଢ଼େଇ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଅପରପକ୍ଷେ, ମହାମାରୀ କୋଭିଡ୍-୧୯ର ଏହି ଦ୍ବିତୀୟ ଲହର ଆମ୍ଭମାନଙ୍କର ଯନ୍ତ୍ରଣା ସମ୍ଭାଳିବାର ଦକ୍ଷତା ଓ ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି ସେ କହିଛନ୍ତି। ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିଥିବା ଦେଶବାସୀଙ୍କର ଆତ୍ମବଳ ଖୁବ୍ ଶୀର୍ଷରେ ଥିବା ବେଳେ ଏହି ଦ୍ବିତୀୟ ଲହର ସାରା ଦେଶକୁ ଦୋହଲାଇ ଦେଇଛି। ତେବେ କେହି କେବେ କୌଣସି ଭିତ୍ତିହୀନ ଉଡ଼ାକଥାର ଶିକାର ନହୋଇ କେବଳ ବିଶେଷଜ୍ଞମାନଙ୍କ ସୂଚନା ଗ୍ରହଣ କରିବାକୁ ସେ ପରାମର୍ଶ କରିଛନ୍ତି।
ଏହି ଅବସରରେ ସେ ଆମ୍ବୁଲାନ୍ସ ଚାଳକ ପ୍ରେମ ବର୍ମା, ସେବିକା ସୁରେଖା ଓ ରାୟପୁରର ସେବିକା ଭାବନାଙ୍କ ସହ କଥା ହୋଇ ବର୍ତ୍ତମାନର ସ୍ଥିତିରେ ସେମାନଙ୍କ ସହଯୋଗ କିପରି ଅପରିହାର୍ଯ୍ୟ ବୋଲି କହିଥିଲେ। ଅପରପକ୍ଷେ, କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମାଗଣାରେ କିପରି କୋଭିଡ୍ ଟିକା ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ପହିଲାରୁ ୧୮ ବର୍ଷରୁ ୪୫ ବର୍ଷ ଯାଏ ନାଗରିକମାନେ ଏହି ଟିକାକରଣରେ ସାମିଲ ହେବେ ବୋଲି ମୋଦୀ ସୂଚନା ଦେଇଥିଲେ। ସେହିପରି ସାମ୍ପ୍ରତିକ ସ୍ଥିତିର ମୁକାବିଲା ପାଇଁ ସରକାର ରାଜ୍ୟମାନଙ୍କର ଉଦ୍ୟମକୁ ଆଗେଇନେବାକୁ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ। ଦେଶବାସୀଙ୍କୁ ଏପରି ଉଦ୍ବୋଧନ ଦେଇ ସେ ଶ୍ରୀନଗରରୁ ଡା. ନଭିତ୍ ନାଜିର ଓ ମୁମ୍ବାଇରୁ ଡା. ଶଶାଙ୍କ ଯୋଶୀ ପ୍ରମୁଖଙ୍କ ସହ ଏହି ଦ୍ବିତୀୟ ଲହର ସଂକ୍ରମଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହି ଦ୍ବିତୀୟ ଲହରକୁ କାବୁ କରିବା ଲାଗି ପ୍ରଧାନମନ୍ତ୍ରୀ ଭେଷଜ ଶିଳ୍ପ ଓ ଅମ୍ଳଜାନ ପ୍ରସ୍ତୁତି ପରି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-43.jpg)