ମୁଙ୍ଗେଲି: ଛତିଶଗଡ଼ର ମୁଙ୍ଗେଲିରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରିଛନ୍ତି ଯେ ରାଜ୍ୟରେ କଂଗ୍ରେସ ଦଳର ବିଦାୟ ପାଇଁ ଆନୁଷ୍ଠାନିକ ଭାବେ ଅବଗଣନା ଆରମ୍ଭ ହୋଇଯାଇଛି। ବିଜୟ ସଂକଳ୍ପ ମହାରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମହାଦେବ ବେଟିଂ ଆପ୍ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି- ମୁଁ କଂଗ୍ରେସକୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି। ‘ମହାଦେବ ବେଟିଂ ଆପ୍ ଦୁର୍ନୀତି’ର ମୂଲ୍ୟ ୫୦୮ କୋଟି ଟଙ୍କା ହୋଇଥିବା ବେଳେ ତଦନ୍ତକାରୀ ଏଜେନ୍ସିମାନେ ଏହି ମାମଲାରେ ବହୁ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ଜେଲରେ ଅଛନ୍ତି।
ଏଥିରେ ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଇଛନ୍ତି ତାହା କଂଗ୍ରେସ ପ୍ରକାଶ କରିବା ଦରକାର। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ- ଯେଉଁ କଂଗ୍ରେସ ନେତାମାନେ ଆପଣମାନଙ୍କୁ ୫ ବର୍ଷ ଧରି ଲୁଟିଛନ୍ତି ସେମାନଙ୍କ ବିଦାୟ ନେବାର ସମୟ ଆସିଯାଇଛି। ଇଡି ଗତ ସପ୍ତାହରେ କହିଥିଲା ଯେ ଏହି ଦୁର୍ନୀତିର ଜଣେ ସନ୍ଦିଗ୍ଧଙ୍କ ଇମେଲ୍ ବୟାନରୁ ଜଣାପଡିଛି, ଅପରେସନର ପ୍ରମୋଟରମାନେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ। ପରେ ମହାଦେବ ବେଟିଂ ଆପ୍ ମାମଲାର ଅଭିଯୁକ୍ତ ଶୁଭମ୍ ସୋନିଙ୍କ ଏକ ଭିଡିଓ ସେୟାର କରି ବିଜେପି କହିଛି ଯେ ସେ ବାଘେଲଙ୍କୁ ଏପର୍ଯ୍ୟନ୍ତ ୫୦୮ କୋଟି ଟଙ୍କା ଦେବାର ପ୍ରମାଣ ତାଙ୍କ ପାଖରେ ରହିଛି। ବଘେଲ ଏହି ଦାବିକୁ ଖଣ୍ଡନ କରିଛନ୍ତି। ବିଜେପି କ୍ଷମତାକୁ ଆସିବା ପରେ ଛତିଶଗଡ଼ରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କଂଗ୍ରେସ ପଛୁଆ ସମ୍ପ୍ରଦାୟର କଲ୍ୟାଣ ବଦଳରେ ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରାଥମିକତା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସ୍ୱାଧୀନତାର ଏତେ ଦଶନ୍ଧି ପରେ ଆଜି ଦେଶରେ ଯଦି କେହି ଗରିବ ଅଛନ୍ତି, ତା’ହେଲେ ଏକମାତ୍ର ଦୋଷୀ ହେଉଛି କଂଗ୍ରେସ। କଂଗ୍ରେସ ‘ଗରିବୀ ହଟାଓ’ ସ୍ଲୋଗାନ ଦେବାର ବହୁ ଦଶନ୍ଧି ପରେ ମଧ୍ୟ ଦେଶର ଦଳିତ, ଓବିସି ଏବଂ ଆଦିବାସୀମାନେ ଗରିବ ଅଛନ୍ତି ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ର ୨୦ଟି ଆସନ ପାଇଁ ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା। ବାକି ୭୦ଟି ଆସନ ପାଇଁ ନଭେମ୍ବର ୧୭ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ।