ଗୋଟିଏ ମଞ୍ଚରେ ମୋଦୀ-ମମତା: ସିଏଏ, ଏନ୍‌ଆର୍‌ସିକୁ ନେଇ ପ୍ରଶ୍ନ ଉଠାଇଲେ ମମତା

ଦିଲ୍ଲୀ ଆସି ଆଲୋଚନା କରିବାକୁ କହିଲେ ମୋଦୀ, ଆଲୋଚନା ପରେ ଧାରଣାରେ ବସିଲେ ମମତା

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଜୋର୍‌ଦାର ବିରୋଧ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଆସି କୋଲକାତା ପହଞ୍ଚିଛନ୍ତି। ମିଲେନିୟମ ପାର୍କ‌୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ପୂର୍ବରୁ ମମତା ରାଜଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାୟ ୨୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସିଏଏ, ଏନ୍‌ଆରସି ଏବଂ ଏନ୍‌ପିଆର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମମତା ତାଙ୍କ ଦାବି ଜଣାଇଥିଲେ। ରାଜ୍ୟ ଏହା ବିରୋଧରେ ରହିଛି ବୋଲି ସେ କହିଥିଲେ। ମୋଦୀଙ୍କ ସହ ସାକ୍ଷାତକୁ ସେ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି। କେନ୍ଦ୍ରଠାରୁ ମିଳିବାକୁ ଥିବା ୨୮,୦୦୦ କୋଟି ଟଙ୍କା ମଂଜୁର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ମମତା କହିଛନ୍ତି। ତେବେ ମମତା ମୋଦୀଙ୍କୁ ସିଏଏ, ଏନ୍‌ଆରସି ପ୍ରସଙ୍ଗରେ କହିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଉଦ୍ଦେଶ୍ୟରେ ସେ ଗସ୍ତ କରିଛନ୍ତି ସେ ବାବଦରେ ଆଲୋଚନା ହେଉ। ସିଏଏ, ଏନ୍‌ଆର୍‌ସି ବାବଦରେ ମମତା ଦିଲ୍ଲୀ ଆସି ଆଲୋଚନା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟପକ୍ଷେ ମମତା ମୋଦୀଙ୍କୁ ସାକ୍ଷାତ କରିବା ବିଷୟକୁ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ଦାବି କରିଛି ଯେ ମୋଦୀ ଏବଂ ମମତାଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଛି। ମମତା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିଛନ୍ତି। ଏବେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି ବୋଲି ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ସୋମେନ ମିତ୍ର କହିଛନ୍ତି।

ମୋଦୀ ଆଜି ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ବିମାନ ବନ୍ଦର ବାହାରେ ଆନ୍ଦୋଳନ ହୋଇଥିଲା। ଯୁବଗୋଷ୍ଠୀ, ରାଜନେତା ଏବଂ ବିଭିନ୍ନ ଅଣରାଜନୈତିକ ଅନୁଷ୍ଠାନ ମଧ୍ୟ ସିଏଏ ଏବଂ ଏନ୍‌ଆରସି ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ବିଭିନ୍ନ ସ୍ଥାନରେ କଳା ପତାକା ଦେଖିବାକୁ ମିଳିଥିଲା। ଅପରାହ୍ନ ୩ଟା ‌ବେଳେ ଆଜି ବାମ ଦଳ ସମର୍ଥିତ ଛାତ୍ର ସଂଗଠନର ସଦସ୍ୟ କୋଲକାତା ବିମାନବନ୍ଦର ବାହାରେ ଏକଜୁଟ୍‌ ହୋଇ ମୋଦୀଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। କୋଲକାତା ଏବଂ ମୁର୍ସିଦାବାଦ୍‌ରେ ମଧ୍ୟ ସିଏଏ ବିରୋଧୀ ରୢାଲି କରାଯାଇଥିଲା। ସେହିପରି ମୋଦୀଙ୍କୁ ଭେଟିବାପରେ ମମତା ଆଜି ଟିଏମ୍‌ସି ଛାତ୍ର ସଂଗଠନ ଦ୍ବାରା ସିଏଏ ବିରୋଧୀ ଧାରଣାରେ ବସିଥିଲେ। ସେଠାରେ ମମତା କହିଥିଲେ, ସିଏଏ ବିଜ୍ଞପ୍ତି କେବଳ କାଗଜରେ ରହିଯିବ ଏବଂ ସେ ଏହାକୁ କେବେ ବି କାର୍ଯ୍ୟକାରୀ କରିବାକୁ ଅନୁମତି ଦେବେନାହିଁ । ପ୍ରଧାନମନ୍ତ୍ରୀଙ୍କୁ ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏବଂ ଅନ୍ୟ ବିଜେପି ନେତା ବିମାନବନ୍ଦରରୁ ପାଛୋଟି ନେଇଥିଲେ। ମୋଦୀ ଆଜି ରାତିରେ ରାଜଭବନରେ ରହିବାର ଯୋଜନା ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହା ବଦଳାଯାଇଛି। ମୋଦୀ ଆଜି ରାତିରେ ବେଲୁର ମଠରେ ରହିବେ। ମଠରେ ମୋଦୀଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ‌୨ ଦିନର ଗସ୍ତ ଅବଧିରେ ମୋଦୀ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ସହ ଜନସଭାରେ ଯୋଗ ଦେବେ।

ସମ୍ବନ୍ଧିତ ଖବର