ମୋଦୀ-ରାହୁଲ ମୁହଁ। ମୁହିଁ

କଂଗ୍ରେସ ପାଇଁ ଆଦିବାସୀ କେବଳ ଭୋଟ୍‌ ବ୍ୟାଙ୍କ୍‌, ‘ସହରାଞ୍ଚଳ ମାଓବାଦୀ’ ଆଦିବାସୀଙ୍କ ଜୀବନ ଦୁର୍ବିସହ କରିଛନ୍ତି

ନୂଆଦିଲ୍ଲୀ: ଛତିଶଗଡ଼ର ଜଗଦଳପୁରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚନୀ ରୢାଲିରେ ଉଦ୍‌ବୋଧନ ଦେଇ ସହରାଞ୍ଚଳ ମାଓବାଦୀ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ପାର୍ଟି ଆଦିବାସୀଙ୍କୁ କେବଳ ଭୋଟ୍‌ ବ୍ୟାଙ୍କ ଭାବେ ଦେଖୁଥିବା ବେଳେ ସହରାଞ୍ଚଳ ମାଓବାଦୀମାନେ ଆଦିବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସହରାଞ୍ଚଳ ମାଓବାଦୀ ଶୀତତାପ ନିୟନ୍ତ୍ରିତ ପରିବେଶରେ ରହୁଛନ୍ତି, ବଡ଼ ଗାଡ଼ିରେ ବୁଲୁଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ବିଦେଶରେ ପଢ଼ାଉଛନ୍ତି। ଅନ୍ୟପକ୍ଷରେ ସେମାନେ ଗରିବ ଆଦିବାସୀ ଯୁବକମାନଙ୍କୁ ଦେଶ ବିରୋଧରେ ମତାଇ ରିମୋଟ୍‌ କଂଟ୍ରୋଲରେ ନିୟନ୍ତ୍ରଣ କରୁଛନ୍ତି। ଏଭଳି ସହରାଞ୍ଚଳ ମାଓବାଦୀଙ୍କ ପ୍ରତି କଂଗ୍ରେସର ଏତେ ଦରଦ କାହିଁକି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଏଭଳି ଲୋକଙ୍କୁ ଜନତା କେବେ କ୍ଷମା ଦେବେନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତାମାନଙ୍କୁ ଉଚିତ ଶିକ୍ଷା ଦେବାପାଇଁ ବସ୍ତର ଜନସାଧାରଣ ନିଷ୍ପତ୍ତି ନିଅନ୍ତୁ ଏବଂ ସହରାଞ୍ଚଳ ମାଓବାଦୀଙ୍କ ମୁଖା ଖୋଲିଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନ୍‌ଡିଏ ସରକାର ଗଠନ ପୂର୍ବରୁ କଂଗ୍ରେସ ଦଳ ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ଥିଲା। କିନ୍ତୁ ସେମାନେ କେବେ ବି ଛତିଶଗଡ଼ର ବିକାଶ ଚାହିନାହାନ୍ତି ଏବଂ ବିକାଶର ବାଟକୁ ବନ୍ଦ କରିଛନ୍ତି। କଂଗ୍ରେସର ଏଭଳି କାର୍ଯ୍ୟ ମାଓବାଦୀଙ୍କ ଶକ୍ତି ବୃଦ୍ଧିରେ ସହାୟକ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦଳିତ, ଶୋଷିତ ଏବଂ ବଞ୍ଚିତ ଜନତାଙ୍କ ଭାଗ୍ୟ ସହିତ କଂଗ୍ରେସ ସର୍ବଦା ଖେଳି ଆସିଛି ଏବଂ ସେମାନଙ୍କୁ ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରି କେବଳ ରାଜନୈତିକ ସ୍ବାର୍ଥ ହାସଲ କରିଛି ବୋଲି ମୋଦୀ କହିଛନ୍ତି।

ଶିଳ୍ପପତିଙ୍କ କଥାରେ ଚାଲୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ୧୦-୧୫ ଜଣ ଶିଳ୍ପପତିଙ୍କ କଥାରେ ପରିଚାଳିତ ହେଉଛନ୍ତି ଏବଂ ସେମାନଙ୍କ ଅନୁମତି ବିନା କୌଣସି କାମ କରୁନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଛତିଶଗଡ଼ର ପଖନଜୋର୍‌ଠାରେ ଅନୁଷ୍ଠିତ ରୢାଲିରେ କହିଛନ୍ତି। ବିମୁଦ୍ରୀକରଣ ସଂପୂର୍ଣ୍ଣ ବିଫଳ ହୋଇଛି ଏବଂ ଗରିବଙ୍କ ଅର୍ଥ ନେଇ ନିରବ ମୋଦୀ, ବିଜୟ ମାଲ୍ୟା, ଲଳିତ ମୋଦୀ ଏବଂ ମେହୁଲ ଚୋକସୀ ଦେଶ ଛାଡ଼ି ପଳାଇବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କ ପଛରେ ମୋଦୀ ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥନୀତିକୁ ଯେଭଳି କ୍ଷତି ପହଞ୍ଚାଇଛନ୍ତି, ତାହା ଅନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କ ସମୟରେ ହୋଇନାହିଁ ବୋଲି ସେ କହିଛନ୍ତି। ଛତିଶଗଡ଼ର ବସ୍ତର ଅଂଚଳ ପ୍ରାକୃତିକ ସଂପଦରେ ଭରପୂର ହୋଇ ରହିଥିଲେ ମଧ୍ୟ ଏହି ଅଂଚଳବାସୀଙ୍କୁ ଏହାର ଫାଇଦା ମିଳୁନାହିଁ। ମୋଦୀଜୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କେତେକ ଶିଳ୍ପପତି ବନ୍ଧୁ ହିଁ ଏହି ପ୍ରାକୃତିକ ସଂପଦର ଫାଇଦା ଉଠାଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ସମସ୍ତ କୃଷି ଋଣ ଛାଡ଼ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୧୨ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ଡିସେମ୍ବର ୧୧ ତାରିଖରେ ଘୋଷଣା ହେବ। ଏଠାରେ କ୍ଷମତାସୀନ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ।

ସମ୍ବନ୍ଧିତ ଖବର