୮ ମାସରେ ମୋଦୀ-ଟ୍ରମ୍ପ୍‌ଙ୍କ ମଧ୍ୟରେ ପଞ୍ଚମ ବୈଠକ, ସୁଦୃଢ଼ ଦ୍ବିପାକ୍ଷିକ ସଂପର୍କ ନେଇ ଗୁରୁତ୍ବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆମେରିକାରେ ବିଶାଳ ‘ହାଓଡି ମୋଦୀ ’ କାର୍ଯ୍ୟକ୍ରମ ପରି ଭାରତରେ ବି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବାପାଇଁ ‘ନମସ୍ତେ ଟ୍ରମ୍ପ୍‌ ’କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧା‌ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବ୍ରୁଆରି ୪ ତାରିଖରେ ଅହମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ‘ନ‌ମ‌ସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ଟ୍ରମ୍ପ୍‌ ୨୪ ତାରିଖ ଅପରାହ୍ନରେ ଅହମଦାବାଦ୍‌ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ମୋଟେରା ଷ୍ଟାଡିୟମ୍‌ ପର୍ଯ୍ୟନ୍ତ‌ ରୋଡ୍‌ ସୋ କରିବେ। ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଜଣାପଡ଼ିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଆଜି ଏ ବାବଦରେ ସୂଚନା ଦେଇ କହିଛନ୍ତି ୮ ମାସ ମଧ୍ୟରେ ମୋଦୀ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ଏହା ପଞ୍ଚମ ବୈଠକ। ଟ୍ରମ୍ପ୍‌ ତାଙ୍କ ଗସ୍ତ ଅବସରରେ ଅହମଦାବାଦ୍‌, ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିବେ। ଅହମଦାବାଦ୍‌ ପରେ ଦିଲ୍ଲୀରେ ଟ୍ରମ୍ପ୍‌ ଏବଂ ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା‌ ସୁମନ ଅର୍ପଣ କରିବେ। ଏହାପରେ ହାଇଦ୍ରାବାଦ୍‌ ହାଉସ୍‌ରେ ମୋଦୀ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବ। ତେବେ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ଉପରେ ଫୋକସ୍‌ କରାଯିବ। ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମ ପାଇଁ ଆମେରିକା ଏବଂ ଭାରତ ମଧ୍ୟରେ ଦୃଢ଼ ସହଯୋଗ ରହିଛି। ଆଞ୍ଚଳିକ ପ୍ରସଙ୍ଗରେ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବେ ବୋଲି ରବୀଶ କୁମାର କହିଛନ୍ତି। ଫେବ୍ରୁଆରି ୨୫ରେ ଟ୍ରମ୍ପ୍‌ଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ।

ରବୀଶ କୁମାର କହିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପ୍‌ ନାଗରିକ ଅଭିନନ୍ଦନ କମିଟି’ ଦ୍ବାରା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମର ପରିଚାଳନା କରାଯାଉଛି। କାର୍ଯ୍ୟକ୍ରମକୁ କେଉଁମାନେ ନିମନ୍ତ୍ରିତ ହେବେ ସେ ନିଷ୍ପତ୍ତି ମଧ୍ୟ କମିଟି ‌ନେଉଛି। ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର