କଂଗ୍ରେସ ଉପରେ ବର୍ଷିଲେ ମୋଦି

ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ ପୂରା କଶ୍ମୀର ଆମର ହୋଇଥାନ୍ତା

ନୂଆଦିଲ୍ଲୀ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଉଭୟ ଗୃହରେ କଂଗ୍ରେସ ବିରୋଧରେ ବିସ୍ଫୋରକ ଭାଷଣ ଦେଇଛନ୍ତି। ଲୋକସଭାରେ ଦେଇଥିବା ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ସମସ୍ୟା ପାଇଁ କଂଗ୍ରେସର କୁଶାସନକୁ ଦାୟୀ କରିଥିଲେ। ଦେଶ ବିଭାଜନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସବୁ ବଡ଼ ସମସ୍ୟା କଂଗ୍ରେସ ଅପକର୍ମର ଫଳ ବୋଲି ମୋଦି କହିଥିଲେ ଏବଂ ଦେଶରେ ଏବେ ଚାଲିଥିବା ବିକାଶ ଓ ସଂସ୍କାରର ଧାରା ଭବିଷ୍ୟତ ପାଇଁ ଏକ ସୁଦୃଢ଼ ମାର୍ଗ ନିର୍ମାଣ କରୁଛି ବୋଲି କହିଥିଲେ। ମୋଦି କହିଥିଲେ ଯେ ସର୍ଦ୍ଦାର ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଆଜି ସମଗ୍ର କଶ୍ମୀର ଆମ ପାଖରେ ଥାଆନ୍ତା। ଦେଶକୁ ବିଭାଜନ କରିବା ପରେ କଂଗ୍ରେସ କେବଳ କ୍ଷମତାକୁ ଗୋଟିଏ ପରିବାରର ନିୟନ୍ତ୍ରଣରେ ରଖିବାକୁ ସବୁକ୍ଷେତ୍ରରେ ବିଷ ମଂଜି ବୁଣିଥିଲା। ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗୋଟିଏ ଦିନ ମଧ୍ୟ ଏଭଳି କଟିନାହିଁ ଯେଉଁଦିନ ଦେଶ କଂଗ୍ରେସର ଏହି ପାପ ପାଇଁ ଦଣ୍ଡ ଭୋଗିନାହିଁ। କଂଗ୍ରେସ ଭାରତ ମାତାକୁ ଖଣ୍ଡ ଖଣ୍ଡ କରିବା ସତ୍ତ୍ୱେ ମଧ୍ୟ ଦେଶବାସୀ ଏହି ଦଳ ସହିତ ରହିଥିଲେ। ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ କଂଗ୍ରେସର ନିୟନ୍ତ୍ରଣ ଥିଲା, କିନ୍ତୁ ପୂରା ସମୟ କଂଗ୍ରେସ ଦଳ ଦେଶର ସେବା କରିବା ବଦଳରେ କେବଳ ଗୋଟିଏ ପରିବାରର ସ୍ତୁତିଗାନ କରିବାରେ କଟାଇଦେଲା। କଂଗ୍ରେସ ଦଳ ଦାୟିତ୍ୱ ସଂପନ୍ନତାର ସହ କାମ କରିଥିଲେ ଦେଶର ଏଭଳି ଦୁର୍ଭାଗ୍ୟ କଦାପି ଆସିନଥାନ୍ତା ବୋଲି ମୋଦି କହିଥିଲେ। ଦେଶରେ ଏବେ ଗଣତନ୍ତ୍ର ବିପନ୍ନ ବୋଲି କଂଗ୍ରେସ ଦେଉଥିବା ବୟାନ ଉପରେ କଡ଼ା ଆକ୍ଷେପ କରି ମୋଦି କହିଥିଲେ ଯେ ଦେଶରେ ୯୦ରୁ ଅଧିକ ଥର ଧାରା ୩୫୬ ପ୍ରୟୋଗ କରି ରାଜ୍ୟ ସରକାରକୁ ଭାଙ୍ଗିବା ଏବଂ ରାଜ୍ୟର ଦଳମାନଙ୍କର ପତନ ଘଟାଇବା କାର୍ଯ୍ୟ କଂଗ୍ରେସ ହିଁ କରିଛି। ଏଭଳି ଏକ ଦଳ ଗଣତନ୍ତ୍ରର ସୁରକ୍ଷା କଥା କହିବା ହାସ୍ୟାସ୍ପଦ ବୋଲି ମୋଦି କହିଛନ୍ତି। ଦେଶରେ ଯେଉଁ ବିକାଶ ହୋଇଛି ସେଥରେ ଦେଶର ସମସ୍ତ ସରକାରଙ୍କ ଯୋଗଦାନ ରହିଛି ବୋଲି କଂଗ୍ରେସର କୌଣସି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ କେବେ ବି କହିନାହାନ୍ତି। କେବଳ ଆମେ ହିଁ ଦେଶର ସମସ୍ତ ସରକାରଙ୍କୁ ଲାଲକିଲ୍ଲାରୁ ଧନ୍ୟବାଦ ଦେଇଛୁ ଏବଂ ଏହାକୁ ଗଣତନ୍ତ୍ର କହନ୍ତି ବୋଲି ମୋଦି କହିଛନ୍ତି।

କଂଗ୍ରେସ ଦଳ କେବଳ ଗୋଟିଏ ପରିବାରର ସେବାରେ ଏବଂ ପ୍ରଶଂସାରେ ବ୍ୟସ୍ତ। ଏଭଳି ମାନସିକତା ପାଇଁ ଆଜି କଂଗ୍ରେସ ଦଳର ଏଭଳି ଦୁର୍ଗତି ହୋଇଛି। ଅଣ ବିଜେପି ଶାସିତ ରାଜ୍ୟରେ ୧ କୋଟିରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଛି। କଂଗ୍ରେସ ଏହି ତଥ୍ୟକୁ କେବେ ବି ମିଥ୍ୟା କହିପାରିବ କି ବୋଲି ମୋଦି ପ୍ରଶ୍ନ କରିଥିଲେ । ଦେଶବାସୀଙ୍କୁ ସର୍ବଦା ବିଭ୍ରାନ୍ତି ଭିତରେ ରଖିବାକୁ କଂଗ୍ରେସ ଚାହୁଛି ବୋଲି ମୋଦି କହିଥିଲେ। ଆଧାର ପ୍ରସଙ୍ଗ ଉଲ୍ଲେଖ କରି ମୋଦି କହିଥିଲେ ଯେ ଆମେ ଆଧାରକୁ ବୈଜ୍ଞାନିକ ଉପାୟରେ ପ୍ରୟୋଗ କରିଛୁ। ବିଧବା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ମିଳୁଥିବା ପେନ୍‌୍‌ସନ ବର୍ଷ ବର୍ଷ ଧରି ଦଲାଲ ଓ ଟାଉଟରଙ୍କ ପକେଟକୁ ଯାଉଥିବା ବେଳେ ଏବେ ଏହା ବନ୍ଦ ହୋଇଯାଇଛି। ୧୯୮୦ରେ କଂଗ୍ରେସ ସରକାର ଏକବିଂଶ ଶତାବ୍ଦୀର କଥା କରିବା ଗ୍ରହଣୀୟ ଥିଲା, କିନ୍ତୁ ଏବେ ମୋଦି ୨୦୧୮ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଇଁ ୨୦୨୨ର କଥା କହିଲେ ମଧ୍ୟ କଂଗ୍ରେସକୁ ବହୁତ ବାଧୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଂଗ୍ରେସର ଭୁଲ୍‌ ନୀତି ପାଇଁ ଦେଶ ଭୟଙ୍କର କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଏବେ ସରକାରଙ୍କ ସଂସ୍କାରମୁଖୀ ଯୋଜନା ଯୋଗୁଁ କୃଷକଙ୍କ ଆୟ ବଢ଼ୁଛି ଏବଂ ସବୁକ୍ଷେତ୍ରରେ ସୁଧାର ହେଉଛି। ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନଙ୍କୁ ପଛକୁ ହଟିବାକୁ ହେବ ଏବଂ ସେମାନଙ୍କୁ ହଟାଇବା କ୍ଷେତ୍ରରେ ମୁଁ ପଛକୁ ହଟିବା ବ୍ୟକ୍ତି ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏକସଂଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଯୁକ୍ତି ବାଢ଼ିଲେ
ନୂଆଦିଲ୍ଲୀ: ଦେଶରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନଗୁଡ଼ିକ ଏକସଂଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମତକୁ ସଂସଦରେ ଉପସ୍ଥାପନ କରିଛନ୍ତି। ୨୦୧୪ ନିର୍ବାଚନରେ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ତୁହାକୁ ତୁହା ନିର୍ବାଚନ ଯୋଗୁଁ ସରକାରଙ୍କ ବୋଝ ବଢ଼ୁଛି। ସବୁ ରାଜନୈତିକ ଦଳ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଏହି ପ୍ରସଙ୍ଗରେ ଚିନ୍ତା କଲେ ଦେଶର ନିର୍ବାଚନ ଖର୍ଚ୍ଚ ବୋଝ ଏବଂ ଏ ବାବଦ ଜଟିଳତା କମିଯାଆନ୍ତା ଏବଂ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୁଅନ୍ତା ନାହିଁ ବୋଲି ମୋଦି କହିଥିଲେ। ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନିର୍ବାଚନ ଯୋଗୁଁ ସରକାରଙ୍କ ସ୍ୱାଭାବିକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି ବୋଲି ମୋଦି କହିଥିଲେ। ୧୯୬୭ ପର୍ଯ୍ୟନ୍ତ ଦେଶରେ ସମାନ୍ତରାଳ ଭାବେ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକସଂଗରେ ହେଉଥିବା ମୋଦି ଉଦାହରଣ ଦେଇଥିଲେ।

ସମ୍ବନ୍ଧିତ ଖବର