ମମତାଙ୍କୁ ମୋଦୀଙ୍କ ଜବାବ: ଦିଦିଙ୍କ ଚାପୁଡ଼ା ମୋ ପାଇଁ ଆଶୀର୍ବାଦ

ମୁଁ ଚାପୁଡ଼ା ମାରିବା କଥା କହିନାହିଁ: ମମତା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଂଗର ବାଙ୍କୁରା ଏବଂ ପୁରୁଲିଆରେ ଅନୁଷ୍ଠିତ ରୢାଲିରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମାଲୋଚନାର ଜବାବ ଦେଇଛନ୍ତି। ମୋଦୀ କହିଛନ୍ତି ମମତା ମତେ ଚାପୁଡ଼ା ମାରିବାକୁ ଚାହୁଛନ୍ତି। ଏହା ମୋ ପାଇଁ ଆଶୀର୍ବାଦ ଭଳି ହେବ। ମୁଁ ମମତାଙ୍କୁ ଦିଦି କହି ସମ୍ମାନ ଦେଉଛି ଏବଂ ତାଙ୍କର ଚାପୁଡ଼ା ଖାଇବାକୁ ମଧ୍ୟ ପ୍ରସ୍ତୁତ ଅଛି। ତେବେ ମମତା ଦିଦି ଦେଶର ସମ୍ବିଧାନକୁ ସମ୍ମାନ ଦେଇ କାମ କରିବାକୁ ପଡ଼ିବ ଏବଂ ନିଜର ଅହଙ୍କାର ପାଇଁ ଲୋକଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ ବୋଲି ମୋଦୀ କହିଛନ୍ତି। ଦିଦି ଦୁର୍ନୀତିଗ୍ରସ୍ତଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଗୁଣ୍ଡାଙ୍କ ଦ୍ବାରା କ୍ଷମତା ଅକ୍ତିଆର କରିବାକୁ ଚାହୁଛନ୍ତି। ଗଣତନ୍ତ୍ରରେ ଏହା ସମ୍ଭବ ନୁହେଁ। ଦିଦି ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଲୋକଙ୍କୁ ଚାପୁଡ଼ା ମାରିବାକୁ ସାହସ ଦେଖାନ୍ତୁ ବୋଲି ମୋଦୀ କହିଥିଲେ। ମୋଦୀଙ୍କ ଏହି ଭାଷଣ ପରେ ମମତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କେବେହେଲେ ମୋଦୀଙ୍କୁ ଚାପୁଡ଼ା ମାରିବା କଥା କହିନାହାନ୍ତି। ମୋଦୀ ଭାଷାକୁ ବୁଝିବା ଉଚିତ। ସେ ଗଣତନ୍ତ୍ରର ଚାପୁଡ଼ା କଥା କହିଥିଲେ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର