ସିନେଟରଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦୀ

ନୂଆଦିଲ୍ଲୀ : ହଷ୍ଟନ ସହରରେ ଆୟୋଜିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଜଣେ ସି‌ନେଟରଙ୍କ ପତ୍ନୀଙ୍କୁ କ୍ଷମା ମାଗିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମ ଜରିଆରେ ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ମଧ୍ୟ ଯୋଗ ଦେଇଥିଲେ। ତେବେ ଏତେ ସବୁ ସମ୍ମାନ ମିଳିବା ପରେ ମୋଦୀ ଆମେରିକାର ଜଣେ ସିନେଟରଙ୍କ ପତ୍ନୀଙ୍କୁ କ୍ଷମା ମାଗିଥିବା ଜଣା ପଡ଼ିଛି। ଆମେରିକୀୟ ସିନେଟର ଜନ୍‌ କର୍‌ନିନ୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସେ ତାଙ୍କ ପତ୍ନୀ ସ୍ୟାଣ୍ଡିଙ୍କ ଜନ୍ମଦିନ ପାଳନ କରି ପାରି ନଥିଲେ। ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣା ପଡ଼ିବା ପରେ ସେ ସ୍ୟାଣ୍ଡିଙ୍କୁ କ୍ଷମା ମାଗିଥିଲେ। ଏହି ଭିଡିଓ ପିଏମ୍‌ଓଙ୍କ ଟୁଇଟ୍‌ର ଆକାଉଣ୍ଟରେ ସେୟାର କରାଯାଇଛି। ‘ମୁଁ କ୍ଷମା ଚାହିଁବି, ଆଜି ଆପଣଙ୍କ ଜନ୍ମଦିନ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ ସହ ନ ରହି ମୋ ସହ ରହିଥିଲେ । ଇର୍ଷା ତ ନିଶ୍ଚୟ ହେବ। କିନ୍ତୁ ମୁଁ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆପଣଙ୍କ ଉତ୍ତମ ଭବିଷ୍ୟତର କାମନା କରୁଛି’ ବୋଲି ମୋଦୀ କର୍‌ନିନଙ୍କ ପତ୍ନୀ ସ୍ୟାଣ୍ଡିଙ୍କୁ କହୁଥିବା କଥା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର