ମୋଦିଙ୍କ ପ୍ରଭାବ : ଇସ୍ରାଏଲ ବାୟୁସେନା ସୁରକ୍ଷାରେ ଜୋର୍ଡାନ ହେଲିକାପ୍ଟରରେ ବସି ପାଲେଷ୍ଟାଇନ ଗଲେ

ରମାଲ୍ଲା : ମଧ୍ୟପୂର୍ବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଦି ପାଲେଷ୍ଟାଇନ ରାଜଧାନୀ ରମାଲ୍ଲାରେ ପହଞ୍ଚିଛନ୍ତି । ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ପାଲେଷ୍ଟାଇନ ଗସ୍ତ । ତେବେ ଆଉ ଏକ ଦୃଷ୍ଟିକୋଣରୁ ଏହି ଗସ୍ତଟି ଐତିହାସିକ ବୋଲି କୁହାଯାଉଛି । ମୋଦିଙ୍କର ହେଲିକାପ୍ଟରଟି ଜୋର୍ଡାନ ସରକାରଙ୍କ ଦ୍ୱାରା ଯୋଗାଇଦିଆଯାଇଥିଲା ଓ ଏହି ହେଲିକାପ୍ଟରକୁ ଇସ୍ରାଏଲର ବାୟୁସେନା ସୁରକ୍ଷା ଦେଇଥିଲେ । ମଧ୍ୟପୂର୍ବ ବା ଉପସାଗରୀୟ ଅଂଚଳରେ ଇସ୍ରାଏଲ ସହ ପାଲେଷ୍ଟାଇନ ଓ ଜୋର୍ଡାନର ସଂପର୍କ କିପରି ତାହା ବେଶ ଜଣାଶୁଣା । କିନ୍ତୁ ଭାରତ ସହ ଏସବୁ ରାଷ୍ଟ୍ର କିପରି ବନ୍ଧୁତ୍ୱ ପୂର୍ଣ୍ଣ ସଂପର୍କ ରଖିଛନ୍ତି ଓ ଭାରତକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଏହି ଘଟଣାରୁ ବେଶ ପ୍ରମାଣିତ ହୋଇଯାଇଛି । ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ମୋଦି ପୁଣି ଥରେ ନିଜର ପ୍ରଭାବକୁ ପ୍ରମାଣିତ କରିଛନ୍ତି । ମୋଦି ହିଁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ମଧ୍ୟସ୍ଥତା କରି ଶନ୍ତି ପ୍ରତିଷ୍ଠା କରିପାରିବେ ବୋଲି ଗତକାଲି ନୂଆଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରସ୍ତାବ ଦେଇଥିଲେ ।

ମୋଦିଙ୍କ ରମାଲ୍ଲା ଗସ୍ତ ଅବସରରେ ତାଙ୍କୁ ସେଠାକାର ସର୍ବୋଚ୍ଚ ବେସାମରିକ ସମ୍ମାନ ଗ୍ରାଣ୍ଡ କଲାର ଅଫ ପାଲେଷ୍ଟାଇନ ପ୍ରଦାନ କରାଯାଇଛି । ଏହି ଅବସରରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ଦାସ୍‌ଙ୍କ ସହ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ମୋଦି କହିଛନ୍ତି ଯେ ପଶ୍ଚିମ ଏସିଆରେ ଶୀଘ୍ର ଶାନ୍ତି ଫେରିବା ଭାରତ ଆଶା କରୁଛି । ପାଲେଷ୍ଟାଇନର ସ୍ୱାର୍ଥ ରକ୍ଷା ଦିଗରେ ଭାରତ ପ୍ରତିଶୃତିବଦ୍ଧ ବୋଲି ମୋଦି କହିଛନ୍ତି । ଏହି ଅବସରରେ ଅବ୍ଦାସ କହିଛନ୍ତି ଯେ ଇସ୍ରାଏଲ ସହ ଶାନ୍ତି ପ୍ରତିଷ୍ଠା ଦିଗରେ ଆମେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁଛୁ । ରମାଲ୍ଲାରେ ପହଞ୍ଚିବା ପରେ ମୋଦି ପାଲେଷ୍ଟାଇନର ପୂର୍ବତନ ରାଷ୍ଟ୍ରପତି ୟାସାର ଆରାଫତଙ୍କ ସମାଧୀରେ ଯାଇ ଶ୍ରଦ୍ଧାଞ୍ଚଳି ଦେଇଥିଲେ ।

ସମ୍ବନ୍ଧିତ ଖବର