ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ମୋଦୀଙ୍କ ଟାର୍ଗେଟ୍ : ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶମାନଙ୍କୁ ଏଥିପାଇଁ ଦାୟୀ କରାଯାଉ

ନୂଆଦିଲ୍ଲୀ : ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶଗୁଡ଼ିକୁ ଉତ୍ତରଦାୟୀ କରାଯାଉ ବୋଲି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିକ୍ସ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଆତଙ୍କବାଦ ହେଉଛି ବିଶ୍ବ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ମଧ୍ୟରୁ ଅନ୍ୟତମ । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶମାନଙ୍କ ବିରୁଦ୍ଧରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନେ ଏକଜୁଟ ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି । ପାକିସ୍ତାନକୁ ଇଙ୍ଗିତ କରି ସେ ଏକଥା କହିଛନ୍ତି ।

ମୋଦୀ କହିଛନ୍ତି ଯେ ମିଳିତ ଜାତିସଂଘର ସଂସ୍କାର ପାଇଁ ସମୟ ଆସିଯାଇଛି । ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏଥର ଜାତିସଂଘ ବଦଳିବା ଆବଶ୍ୟକ ।

କରୋନା ମହାମାରୀ ସମୟରେ ଭାରତ ସମଗ୍ର ବିଶ୍ବ ସମୁଦାୟକୁ ସହାୟତାର ହାତବଢାଇଛି । ଲକଡାଉନ ସମୟରେ ଭାରତ ପ୍ରାୟ ୧୫୦ଟି ଦେଶକୁ ଔଷଧ ଓ ଡାକ୍ତରୀ ସାମଗ୍ରୀ ଯୋଗାଇଛି । ଟିକା ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଭାରତର କ୍ଷମତା ଦିନେ ସମଗ୍ର ମାନବ ଜାତିର କାମରେ ଆସିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଋଷିଆ, ଭାରତ, ଚୀନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ସଂଗଠନ ଗଠିତ । ଏଥରର ବ୍ରିକ୍ସ ସମ୍ମିଳନୀ ଋଷିଆ ଆୟୋଜନ କରୁଛି । ତେବେ କରୋନା ପାଇଁ ଏଥର ଏହି ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେଉଛି । ଏଥରର ସମ୍ମିଳନୀର ବିଷୟ ହେଉଛି- ବିଶ୍ବ ସ୍ଥିରତା, ମିଳିତ ନିରାପତ୍ତା ଓ ଉଦ୍ଭାବନଭିତ୍ତିକ ଅଭିବୃଦ୍ଧି ।

ସମ୍ବନ୍ଧିତ ଖବର