ଜଳବାୟୁ ପରିବର୍ତ୍ତନ ପାଇଁ ଭାରତ ଅପେକ୍ଷା ବିକଶିତ ଦେଶମାନେ ଅଧିକ ଦାୟୀ : ମୋଦୀ

ନୂଆଦିଲ୍ଲୀ : ଭାରତ ବିଶ୍ବ ପରିବେଶକୁ କମ କ୍ଷତି ପହଞ୍ଚାଇଥିଲେ ବି ପରିବେଶ ସଂରକ୍ଷଣ ଦିଗରେ କାମ କରିଚାଲିଛି । ଅନ୍ୟପକ୍ଷରେ ବିକଶିତ ଦେଶମାନେ ଅଧିକ ପ୍ରାକୃତିକ ସମ୍ବଳ ବ୍ୟବହାର କରୁଛନ୍ତି ଓ ସର୍ବାଧିକ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଇଶା ଫାଉଣ୍ଡେସନ ଦ୍ବାରା ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ, ଗତ ୮ ବର୍ଷରେ ଭାରତ ସରକାର ଆଣିଥିବା ଅଧିକାଂଶ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାର ବାର୍ତ୍ତା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ସ୍ବଚ୍ଛ ଭାରତ ଅଭିଯାନ, ନମାମୀ ଗଙ୍ଗେ, ଓ୍ବାନ ସନ ଓ୍ବାନ ଗ୍ରୀଡ ଇତ୍ୟାଦି ।

ସୂଚନାଯୋଗ୍ୟ ଯେ ଜାତିସଂଘ ପକ୍ଷରୁ ୧୯୭୨ରୁ ପ୍ରତ୍ୟେକ ବର୍ଷ ଜୁନ ୫ରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି । ପ୍ରଥମ ବର୍ଷ ବିଶ୍ବ ପରିବେଶ ଦିବସର ଶୀର୍ଷକ ଥିଲା ‘କେବଳ ଗୋଟିଏ ପୃଥିବୀ’ । ଚଳିତ ବର୍ଷର ବିଶ୍ବ ପରିବେଶ ଦିବସର ଶୀର୍ଷକ ମଧ୍ୟ ସମାନ ରହିଛି ।

ବିଶ୍ବ ପରିବେଶ ଦିବସ ଅବସରରେ ମୋଦୀ ଆଜି ଲାଇଫଷ୍ଟାଇଲ ଫର ଏନଭାରମେଣ୍ଟ (ଲାଇଫ) ଅଭିଯାନ ଆରମ୍ଭ କରିଛନ୍ତି । ଆମର ଜୀବନଯାପନ ଯେପରି ପରିବେଶ ଅନୁକୂଳ ହେବ ତାହା ଉପରେ ଏହି ଅଭିଯାନ ମାଧ୍ୟମରେ ଗୁରୁତ୍ବ ଦିଆଯାଉଛି ।  ଏପରି ଜୀବନ ବଞ୍ଚୁଥିବା ଲୋକମାନଙ୍କୁ ପୃଥିବୀ ଅନୁକୂଳ ଲୋକ ବୋଲି କୁହାଯାଇପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର