ଆପୁଲିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲିର ଆପୁଲିଆରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ତୃ୍ତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଅନେକ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀ ବୋଲଡିମିର ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ମୋଦୀ ମଧ୍ୟ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ଜି-୭ ସମ୍ମିଳନୀ କାର୍ଯ୍ୟସ୍ଥଳରେ ଦ୍ବିପାକ୍ଷିକ ଓ ଅନ୍ତତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment

ଜି-୭ ସମ୍ମିଳନୀରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି ‘ନମସ୍ତେ’ କହି ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ଏବଂ ମୋଦୀ ପ୍ରତିରକ୍ଷା, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ୨ ରାଷ୍ଟ୍ର ମଧ୍ୟରେ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବାପାଇଁ ଆଲୋଚନା କରିଛନ୍ତି। କୃତ୍ରିମ ବୁଦ୍ଧିମତା(ଏଆଇ) କ୍ଷେତ୍ରରେ ଭାରତର ପ୍ରୟାସକୁ ମାକ୍ରନ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷେ ଜେଲେନସ୍କି ମୋଦୀଙ୍କୁ ରୁଷ୍‌-ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ସୁନକ ଏବଂ ମୋଦୀ କଥାବାର୍ତ୍ତା ସମୟରେ ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଜେଲେନସ୍କିଙ୍କ ସହ କଥାବାର୍ତ୍ତା ପ୍ରସଙ୍ଗରେ ମୋଦୀ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫଳପ୍ରଦ କଥାବାର୍ତ୍ତା ହୋଇଛି। ୟୁକ୍ରେନ ସହ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାପାଇଁ ଭାରତ ଆଗ୍ରହ‌ୀ।

ଆଜି ଅପରାହ୍ନରେ ଅନୁଷ୍ଠିତ ଜି-୭ର ଦ୍ବିତୀୟ ବୈଠକରେ ଇସ୍ରାଏଲ-ଗାଜା ଯୁଦ୍ଧ, ଆଫ୍ରିକା ପ୍ରସଙ୍ଗ, ଶକ୍ତି ଏବଂ ‘ଗ୍ଲୋବାଲ ସାଉଥ୍‌’ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଗାଜାରେ ଜାତିସଂଘର କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଉଚିତ ନୁହେଁ ଏବଂ ଏହା ସୁନିଶ୍ଚିତ ହେବା ଆବଶ୍ୟକ ବୋଲି ବିଶ୍ବ ନେତାମାନେ ଗୁରୁତ୍ବାରୋପ କରିଥିଲେ। ଅନ୍ୟପକ୍ଷରେ ୟୁକ୍ରେନ ଯୁଦ୍ଧ ରୋକିବା ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶାନ୍ତି ପ୍ରସ୍ତାବ ବିଶ୍ବାସଯୋଗ୍ୟ ନୁହେଁ ବୋଲି ଜେଲେନସ୍କି କହିଥିଲେ। ଜି-୭ ସମ୍ମିଳନୀରେ ପୋପ୍‌ ଫ୍ରାନ୍ସିସ ପ୍ରଥମ ଧର୍ମଗୁରୁ ଭାବେ ଉଦ୍‌ବୋଧନ ଦେଇ ମାନବତାର ସୁରକ୍ଷା ପାଇଁ ବିଶ୍ବନେତାମାନେ ଯଥୋଚିତ ପଦକ୍ଷେପ ନେବାକୁ ଗୁରୁତ୍ବାରୋପ କରିଥିଲେ।