ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର ଖୋଲିବାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମୋଦୀ କହିଛନ୍ତି ଯେ ଭାରତୀୟଙ୍କ ଭାବାବେଗକୁ ସମ୍ମାନ ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଶେଷ ଧନ୍ୟବାଦ | ମୋଦୀ କହିଛନ୍ତି ଯେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜନ୍ମବାର୍ଷିକୀ ପୂର୍ବରୁ କର୍ତ୍ତାରପୁର ସାହିବ କରିଡରର ଉଦଘାଟନ ତାଙ୍କୁ ଅନେକ ଖୁସି ଦେଇଛି | ମୋଦୀ କହିଛନ୍ତି ଯେ ଭାରତର ସ୍ୱାଧୀନତାରେ ଶିଖମାନଙ୍କର ପ୍ରମୁଖ ଭୂମିକା ରହିଛି |

ଭାରତର ସୁରକ୍ଷାକୁ ନେଇ ଗୁରୁ ନାନକ ଦେବଙ୍କ ଠାରୁ ଆରମ୍ଭ କରି ଗୁରୁ ଗୋବିନ୍ଦଙ୍କ ପର୍ଯ୍ୟନ୍ତ ସବୁ ଗୁରୁ ସାହେବ ବଳିଦାନ ଦେଇଛନ୍ତି | ଏହି ପରମ୍ପରାକୁ ବଜାୟ ରଖି ସ୍ୱାଧୀନ ଭାରତର ସୁରକ୍ଷାରେ ଶିଖ ସାଥିମାନେ ନିଜକୁ ସମର୍ପିତ କରିଛନ୍ତି | ଦେଶ ଉଦ୍ଦେଶ୍ୟରେ କର୍ତ୍ତାରପୁର କରିଡର ସାହିବ ସମର୍ପିତ କରିବା ତାଙ୍କର ସୌଭାଗ୍ୟ ବୋଲି ମୋଦୀ କହିଛନ୍ତି |

ଏଠାରେ ସୂଚନା ଥାଉ କି ବହୁ ପ୍ରତୀକ୍ଷିତ କରତାରପୁର କରିଡରର ଉଦଘାଟନ ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲତାନପୁର ଲୋଧିଠାରେ ପହଞ୍ଚିଥିଲେ । ସେଠାରେ ସେ ଗୁରୁଦ୍ବାରକୁ ଯାଇ ପ୍ରଣାମ କରି ଲୋକଙ୍କ ସହ ମିଶିଥିଲେ ।

ସମ୍ବନ୍ଧିତ ଖବର