ମିଳିତ ଜାତିସଂଘର ସଂସ୍କାର ଜରୁରୀ ହୋଇପଡ଼ିଛି : ମୋଦୀ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ନିଜର ୭୫ ବର୍ଷର ଇତିହାସରେ ଅନେକ ଐତିହାସିକ ସଫଳତା ପାଇଛି । କିନ୍ତୁ ଏପରି କେତେକ ଘଟଣା ରହିଛି ଯାହା ଉପରେ ଗଭୀର ଆତ୍ମମନ୍ଥନ କରିବାର ଆବଶକତା ରହିଛି । ସାରା ଦୂନିଆ ଗତ ୮ ମାସ ହେଲା ଏକ ମହାମାରୀର ସମ୍ମୁଖୀନ ହେଉଛି, କିନ୍ତୁ ମାନବ ସମାଜର ଏହି ଲଢେଇରେ ଜାତିସଂଘ କେଉଁଠି ଅଛି ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି ।

ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୭୫ ବର୍ଷ ତଳେ ସେତେବେଳର ବିଶ୍ବ ପରିସ୍ଥିତି ଅନୁସାରେ ଜାତିସଂଘକୁ ଗଠନ କରାଯାଇଥିଲା । କିନ୍ତୁ ଆଜିର ପରିସ୍ଥିତି ଅନୁସାରେ ଜାତିସଂଘର ଢାଞ୍ଚା, କାର୍ଯପ୍ରଣାଳୀ ଆଦି କ୍ଷେତ୍ରରେ ସଂସ୍କାର ଆଣିବା ଜରୁରୀ ହୋଇପଡ଼ିଛି । ମାନବ ସମାଜର ଉନ୍ନତି ପାଇଁ ଜାତିସଂଘର ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି ।

ଭାରତରେ ବିଶ୍ବର ୧୮ ପ୍ରତିଶତ ଜନତା ରହନ୍ତି । କିନ୍ତୁ ଜାତିସଂଘରେ ଭାରତ କେବେ ନିଜର ଅଧିକାର ପାଇବ ? ଭାରତ ସବୁବେଳେ ଜାତିସଂଘକୁ ସମ୍ମାନ ଦେଇଆସିଛି, ଏହାର ବିକାଶ ଦିଗରେ ଓ ମାନବ ଜାତିର ଉନ୍ନତି ପାଇଁ କାମ କରିଆସିଛି । ଏପରିକି କରୋନା ମହାମାରୀ ପରି ସଂକଟ ସମୟରେ ଭାରତ ୧୫୦ଟି ଦେଶକୁ ଔଷଧ ଓ ମେଡିକାଲ ଉପକରଣ ଯୋଗାଇଛି । ଆହୁରି ମଧ୍ୟ ବିଶ୍ବର ବ୍‌ହତ୍ତମ ଟିକା ଉତ୍ପାଦନକାରୀ ଦେଶ ଭାବରେ ଭାରତ ମାନବ ସମାଜ ପାଇଁ ନିଜର ଯୋଗଦାନ ପ୍ରଦାନ କରିବ ।

 

ସମ୍ବନ୍ଧିତ ଖବର