ବିଚାରପତିଙ୍କୁ ଧମକାଉଛି କଂଗ୍ରେସ, ମହାଭିଯୋଗ ଭୟ ଦେଖାଉଛି

ଅଲ୍‌ୱର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପରିଷଦ, ଆର୍‌ଏସ୍‌ଏସ୍‌, ଶିବସେନା ଓ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ଦାବି କରୁଥିବା ବେଳେ ଏବେ ଏହା ରାଜନୈତିକ ମୋଡ଼ ନେଇଛି। ୨୦୧୯ ଲୋକସଭା ନିର୍ବାଚନ ସହିତ ଏହାକୁ ଯୋଡ଼ାଯାଇଛି। ରାଜସ୍ଥାନର ଅଲ୍‌ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିଳମ୍ବିତ କରିବା ପାଇଁ କଂଗ୍ରେସ ହସ୍ତକ୍ଷେପ କରିଛି। ଅଯୋଧ୍ୟା ବିବାଦର ଶୁଣାଣି ତାରିଖ ଗଡ଼ାଇଦେବା ପାଇଁ ଦଳ ସୁପ୍ରିମ୍‌ କୋର୍ଟ ବିଚାରପତିମାନଙ୍କୁ ଆତଙ୍କିତ କରିଛି। ଶୁଣାଣି ଶୀଘ୍ର କଲେ ସେମାନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଥିଲା। ଫଳରେ ଏହି ଶୁଣାଣିକୁ ଶେଷରେ ଘୁଞ୍ଚାଇ ଦିଆଯାଇଛି। ଅଯୋଧ୍ୟା ଭଳି ସମ୍ବେଦନଶୀଳ ମାମଲାରେ ଲୋକଙ୍କ ଆପତ୍ତି ଅଭି‌ଯୋଗ ଓ ଦାବିଗୁଡ଼ିକୁ ଶୁଣିବା ଲାଗି ସୁପ୍ରିମ୍‌ କୋର୍ଟ ପ୍ରସ୍ତୁତ ଥିଲା ବେଳେ ଏଥିରେ କଂଗ୍ରେସର ରାଜ୍ୟସଭା ସାଂସଦ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବେ ବୋଲି ଧମକାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର