ରାଜ୍ୟସଭାରେ କଂଗ୍ରେସକୁ ମୋଦୀଙ୍କ ପ୍ରହାର: କଂଗ୍ରେସ ନ ଥିଲେ ଶିଖ୍‌ ବିରୋଧୀ ଦଙ୍ଗା, ଜରୁରି ପରିସ୍ଥିତି ହୋଇନଥାନ୍ତା

କଂଗ୍ରେସର କକ୍ଷତ୍ୟାଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଜ୍ୟସଭାରେ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଷଣ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ବିରୋଧୀ ଦଳ ନେତା ରାଜନୈତିକ କାରଣରୁ ଦେଶର ସ୍ବାର୍ଥହାନି ହେଲାଭଳି କାମ କରୁଛନ୍ତି। ନିର୍ବାଚନରେ ପରାଜୟର ଦୋଷ ଲୋକଙ୍କ ମୁଣ୍ଡରେ ଲଦି ସେମାନେ ଦେଶ ସ୍ବାର୍ଥରେ ବାଧା ସୃଷ୍ଟି କଲାଭଳି କାମ କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିଛି ବିରୋଧୀ ଦଳ ନେତା ଅପରିପକ୍ବତା ଦେଶକୁ ନିରାଶ କରିଛି ବୋଲି ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଂଶବାଦୀ ରାଜନୀତି ଦେଶ ପାଇଁ ବଡ଼ ବିପଦ ଏବଂ ଏଥିପାଇଁ ଅନେକ ପ୍ରତିଭାଙ୍କୁ ନ୍ୟାୟ ମିଳୁନାହିଁ ।

ମୋଦୀ କହିଥିଲେ ଯେ, ଯଦି କଂଗ୍ରେସ ନ ଥାନ୍ତା ତେବେ ଭାରତରେ ଜରୁରୀ ପରିସ୍ଥିତି, ବହୁତ ବଡ଼ ବଡ଼ ଦୁର୍ନୀତି, ଶିଖ୍-ବିରୋଧୀ ଦଙ୍ଗା, କାଶ୍ମୀର ପଣ୍ଡିତଙ୍କ ଗଣପଳାୟନ ଆଦି ଘଟି ନ ଥାନ୍ତା। ଝିଅମାନେ ସୁରକ୍ଷିତ ରହିଥାନ୍ତେ ଏବଂ ଲୋକମାନେ ସର୍ବନିମ୍ନ ସୁବିଧା ସୁଯୋଗ ପାଇଥାନ୍ତେ। ଗୃହରେ କୁହାଯାଉଛି ଯେ କଂଗ୍ରେସ ଭାରତର ମୂଳଦୁଆ ପକେଇଲା ଓ ବିଜେପି ଆସି ଖାଲି ଝଣ୍ଡା ଉଡ଼େଇଲା। ଏହା ଥଟ୍ଟା-ପରିହାସରେ କୁହାଯାଇ ନାହିଁ। ବହୁ ଚିନ୍ତାକରି ଏହା କୁହାଯାଇଛି, ଯାହା ଦେଶ ପ୍ରତି ବିପଜ୍ଜନକ। କିଛି ଲୋକ ବିଶ୍ବାସ କରୁଛନ୍ତି ଯେ ୧୯୪୭ରେ ଭାରତର ଜନ୍ମ ହୋଇଛି। ଏ ପ୍ରକାର ଚିନ୍ତାଧାରା ଯୋଗୁ ସମସ୍ୟା ସୃଷ୍ଟି ହୋଇଛି ବୋଲି ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ପୁଣି କହିଲେ ଯେ, ଯେଉଁମାନେ ଗତ ୫୦ ବର୍ଷ ଧରି ଦେଶକୁ ଶାସନ କରିଛନ୍ତି, ସେମାନଙ୍କ ନୀତି ନିର୍ଦ୍ଧାରଣରେ ଏହି ମାନସିକତା କାମ କରିଛି। ଏହା ବିକୃତିକୁ ଜନ୍ମ ଦେଇଛି। ଏ ଗଣତନ୍ତ୍ର ଆପଣଙ୍କ (କଂଗ୍ରେସର) ଦୟାରେ ଆସିନାହିଁ। ଯେଉଁମାନେ ୧୯୭୫ରେ ଗଣତନ୍ତ୍ରର ତଣ୍ଟି ଚିପିଥିଲେ ସେମାନଙ୍କର ଏହା ଉପରେ କିଛି କହିବାର ଅଧିକାର ନାହିଁ ବୋଲି ମୋଦୀ କହିଥିଲେ। ସହରୀ ନକ୍ସଲମାନେ କଂଗ୍ରେସର ଦୃଷ୍ଟିକୋଣକୁ ଏବେ ପୂର୍ଣ୍ଣତଃ ଆପଣେଇଛନ୍ତି ବୋଲି ମତରଖି ପ୍ରଧାନମନ୍ତ୍ରୀ କହିଲେ, ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା ଦେଶର ବିକାଶ ହେବାକୁ ଦେଉ ନ ଥିଲା। ବର୍ତ୍ତମାନ ବିରୋଧୀ ଦଳରେ ବସି ବି ବିକାଶରେ ବାଧା ସୃଷ୍ଟି କରୁଛି। ସେମାନେ ‘ନେସନ’ (ରାଷ୍ଟ୍ର) ଶବ୍ଦ ଉପରେ ଆପତ୍ତି ଉଠାଉଛନ୍ତି। ଯଦି ‘ନେସନ’ ବା ରାଷ୍ଟ୍ରର ଚିନ୍ତାଧାରା ଅସାମ୍ବିଧାନିକ ତା’ହେଲେ ତୁମ ଦଳକୁ କାହିଁକି ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ କୁହାଯାଉଛି ବୋଲି ମୋଦୀ କଂଗ୍ରେସକୁ ପ୍ରଶ୍ନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘କଂଗ୍ରେସର ରାଷ୍ଟ୍ର-ବିରୋଧୀ ଚିନ୍ତାଧାରା ‘ସହରୀ ନକ୍ସଲ’ଙ୍କ ମୁଣ୍ଡରେ ପଶି ତାଙ୍କୁ ବିଭ୍ରାନ୍ତ କରୁଛି ଏବଂ ସେମାନେ ଯାହା କରୁଛନ୍ତି ତାହା ଦେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ କଂଗ୍ରେସ-ବିରୋଧୀ ପ୍ରହାର ଅବ୍ୟାହତ ରହିଥିବା ବେଳେ ଏହାକୁ ବିରୋଧ ଧରି କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର