ଆମେରିକା ସହ ଭାରତର ମିତ୍ରତା ଅଭିନ୍ନ ଅଙ୍ଗ: ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା ମଧ୍ୟରେ ଆଜି ହୋଇଥିବା ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ହୋଇଥିବା ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ସଙ୍କଟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଶାନ୍ତି ଚାହୁଁଛି ଏବଂ ଶାନ୍ତି ପଥ ଗ୍ରହଣ କରିବାକୁ ଉଭୟ ଦେଶକୁ ନିବେଦନ କରିଛି।

ସେ କହିଛନ୍ତି ଯେ ଉଭୟ ପୁଟିନ ଏବଂ ଜେଲେନସ୍କିଙ୍କୁ ଫୋନ୍ କରି ସିଧାସଳଖ ଆଲୋଚନା ପାଇଁ ଅପିଲ କରାଯାଇଥିଲା। ବୁଚା ସହରରେ ହୋଇଥିବା ନରସଂହାରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି। ଏହି ଆଲୋଚନା ସମୟରେ ୟୁକ୍ରେନ-ଋଷିଆ ଯୁଦ୍ଧକୁ ମୋଦୀ ଚିନ୍ତାଜନକ କହିଥିବାବେଳେ ଉଭୟ ରାଷ୍ଟ୍ରମୁଖ୍ୟ ସିଧାସଳଖ କଥାବାର୍ତ୍ତା ହେବାକୁ ମୋଦୀ ପରାମର୍ଶ ଦେଇଛନ୍ତି |

ସେହିପରି ମୋଦୀ କହିଛନ୍ତି ଯେ ଆମେରିକା ସହ ଭାରତର ମିତ୍ରତା ଅଭିନ୍ନ ଅଙ୍ଗ | ସିଧାସଳଖ କଥାବାର୍ତ୍ତା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ମୋଦୀ କହିବା ସହ ୟୁକ୍ରେନକୁ ମାନବୀୟ ସହାୟତା ଦେବା ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି | ସେହିପରି ବାଇଡେନ କହିଛନ୍ତି ଯେ ଭାରତ ଓ ଆମେରିକା ଦୁଇଟି ବଡ ଲୋକତାନ୍ତ୍ରିକ ରାଷ୍ଟ୍ର | ୟୁକ୍ରେନ ସମସ୍ୟାକୁ ନେଇ ନିରବିଛିନ୍ନ କଥାବାର୍ତ୍ତା ଜାରି ରଖିଛୁ ଓ ୟୁକ୍ରେନକୁ ଭାରତ ମାନବୀୟ ସହାୟତା ଉଦ୍ୟମକୁ ବାଇଡେନ ପ୍ରଶଂସା କରିଥିଲେ |

ସମ୍ବନ୍ଧିତ ଖବର