ମୋଦୀ-ବାଇଡେନ୍ ଆଲୋଚନା: ସହଯୋଗ ବଢ଼ାଇବେ ଦୁଇ ଦେଶ

ଗାନ୍ଧୀଙ୍କ ଅହିଂସା ନୀତିକୁ ମନେ ପକାଇଲେ ବାଇଡେନ୍‌
ବିଶ୍ୱ ପାଇଁ ଅନେକ ପରିବର୍ତ୍ତନ ଆଣିବ ଚଳିତ ଦଶନ୍ଧି: ମୋଦୀ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଶୁକ୍ରବାର ପ୍ରଥମ ପ୍ରତ୍ୟକ୍ଷ ବୈଠକ ହୋଇଛି। ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ‌ମୋଦୀ ହ୍ବାଇଟ୍‌ ହାଉସର ଓଭାଲ କାର୍ଯ୍ୟାଳୟରେ ବାଇଡେନ୍‌ଙ୍କୁ ଭେଟି ଦ୍ବିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ହ୍ବାଇଟ୍ ହାଉସର ପ୍ରୋଟୋକଲ ମୁଖ୍ୟ ୱେଷ୍ଟ ୱିଙ୍ଗ ଡୋର୍‌ ନିକଟରେ ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହାପରେ ମୋଦୀ ଓଭାଲ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ବାଇଡେନ ମୋଦୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ଦୁଇ ନେତା ସେଠାରେ ବସି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଦ୍ବିପାକ୍ଷିକ ଆଲୋଚନା କାଳରେ ବାଇଡେନ କହିଛନ୍ତି, ବିଶ୍ବର ଦୁଇ ବୃହତ୍ତମ ଗଣତନ୍ତ୍ର ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସଂପର୍କ ଆହୁରି ସୁଦୃଢ଼ ଏବଂ ନିକଟତର ହେବ। ଏହାର ଲାଭ ସମଗ୍ର ବିଶ୍ବକୁ ମିଳିବ। ମିଳିତଭାବେ ଆମେ କୋଭିଡ-୧୯ ଭଳି କେତେକ ଆହ୍ବାନର ମୁକାବିଲା କରୁଛୁ ବୋଲି ବାଇଡେନ କହିଛନ୍ତି। ଆସନ୍ତାମାସରେ ଆମେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛୁ। ତେଣୁ ଗାନ୍ଧୀଙ୍କ ଅହିଂସା ନୀତିକୁ ମନେ ପକାଇବାକୁ ହେବ ଏବଂ ତାହାକୁ ଆଜିର ବିଶ୍ବ ପାଇଁ ପ୍ରୟୋଗ କରିବାକୁ ହେବ ବୋଲି ବାଇଡେନ କହିଛନ୍ତି। ସେ ଏହି ପରିପ୍ରେକ୍ଷୀରେ ଗାନ୍ଧୀଙ୍କ ଟ୍ରଷ୍ଟିସିପ ନୀତି ଆଧାରରେ ଦେଶ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ବାଇଡେନ ଗୁରୁତ୍ବାରୋପ କରିଛନ୍ତି।

‌ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ବାଇଡେନଙ୍କୁ କହିଛନ୍ତି ଯେ, ମୋତେ ଓ ଆମ ପ୍ରତିନିଧି ମଣ୍ଡଳୀକୁ ଆପଣ ଉଚ୍ଛ୍ବସିତ ଭାବେ ସ୍ବାଗତ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ପୂର୍ବରୁ ପରସ୍ପର ମଧ୍ୟରେ ଆଲୋଚନା କରିବାର ସୁଯୋଗ ଆମ ପାଇଁ ଜୁଟିଥିଲା। ସେହି ସମୟରେ ଭାରତ ଏବଂ ଆମେରିକାର ସଂପର୍କ ନେଇ ଆପଣ ଆପଣଙ୍କର ଦୂରଦୃଷ୍ଟି ରଖିଥିଲେ। ୨୦୧୬ରେ ଆମେ ଯେତେବେଳେ ଭେଟିଥିଲେ ସେହି ସମୟରେ ଭାରତ ଏବଂ ଆମେରିକା ସଂପର୍କକୁ ସୁଦୃଢ଼ କରିବା ଲାଗି ଆପଣ ମୋ ସମ୍ମୁଖରେ ଆପଣଙ୍କ ଦୂରଦୃଷ୍ଟିକୁ ଉପସ୍ଥାପନ କରିଥିଲେ। ଏବେ ରାଷ୍ଟ୍ରପତି ଭାବେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ପଦକ୍ଷେପ ନେଉଛନ୍ତି । ଆପଣଙ୍କ ନେତୃତ୍ବରେ ଭାରତ ଏବଂ ଆମେରିକା ସଂପର୍କକୁ ବଢ଼ାଇବା ଲାଗି ମଞ୍ଜି ବୁଣାଯାଇଥିଲା। ବିଶ୍ବର ସବୁ ଗଣତାନ୍ତ୍ରିକ ଦେଶ ପାଇଁ ଚଳିତ ଦଶନ୍ଧି ଅନେକ ପରିବର୍ତ୍ତନ ଆଣିବ ବୋଲି ମୋଦୀ କହିଛନ୍ତି। ଉଭୟ ଭାରତ ଏବଂ ଆମେରିକା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂପ୍ରତି ପ୍ରଯୁକ୍ତି ବିଶ୍ବକୁ ଆଗକୁ ବଢ଼ାଉଛି। ଚଳିତ ଦଶନ୍ଧିରେ ଭାରତ ଏବଂ ଆମେରିକା ସେମାନଙ୍କ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିପାରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସହଯୋଗ ଏକ ପ୍ରମୁଖ କ୍ଷେତ୍ର ଭାବେ ରହିବ ବୋଲି ‌ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ଚଳିତ ଦଶନ୍ଧି ପ୍ରତିଭାବାନ ଲୋକଙ୍କୁ ନେଇ ଏବଂ ଲୋକ ଓ ଲୋକଙ୍କ ମଧ୍ୟରେ ସଂପର୍କକୁ ନେଇ ନୂଆ ରୂପ ନେବ। ଆମେରିକାର ପ୍ରଗତିରେ ଭାରତୀୟମାନେ ସକ୍ରିୟ ଯୋଗଦାନ ରଖୁଥିବାରୁ ଏହା ତାଙ୍କୁ ଖୁସି ଦେଉଛି ବୋଲି ମୋଦୀ କହିଛନ୍ତି। କୋଭିଡ ଠାରୁ ଆରମ୍ଭ କରି ଜଳବାୟୁ ଏବଂ କ୍ବାଡ୍ ଆଦି କ୍ଷେତ୍ରରେ ଆମେରିକା ଅନେକ ବଳିଷ୍ଠ ପଦକ୍ଷେପ ନେଇଛି। ଭବିଷ୍ୟତରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ଅନୁଭୁତ ହେବ ବୋଲି ଆଲୋଚନା ବେଳେ ମୋଦୀ ବାଇଡେନଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାରେ ଭାରତ ପକ୍ଷରୁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଏନଏସଏ ଅଜିତ ଡୋଭଲ, ବିଦେଶ ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା, ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଟି ଏସ ସାନ୍ଧୁ, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆର ଜି ଶ୍ରେଷ୍ଠ ଏବଂ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିବେକ କୁମାର ଉପସ୍ଥିତ ଥିଲେ। ଏହି ଅବସରରେ ମୋଦୀ ହ୍ବାଇଟ୍ ହାଉସର ରୁଜଭେଲ୍‌ଟ ରୁମ୍‌ରେ ପରିଦର୍ଶକ ବହିରେ ଦସ୍ତଖତ କରିଥିଲେ। ଆମେରିକା ଗସ୍ତ ସମୟରେ ମୋଦୀ ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧିତ କରିବେ। ଏଥିସହିତ କ୍ବାଡ୍‌ ନେତାମାନଙ୍କ ଶୀର୍ଷ ବୈଠକରେ ଯୋଗଦେବେ।

ମୋଦୀ-ବାଇଡେନ ଥଟ୍ଟାମଜା
ୱାସିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହ୍ବାଇଟ୍‌ ହାଉସରେ ଶୁକ୍ରବାର ହୋଇଥିବା ଦ୍ବିପାକ୍ଷିକ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ଥଟ୍ଟାମଜା ମଧ୍ୟ ହୋଇଛି। ପ୍ରଥମେ ବାଇଡେନ୍ ପରିବେଶକୁ ହାଲ୍‌କା କରିବାକୁ ଯାଇ ଭାରତରେ ୫ ଜଣ ବାଇଡେନ ରହୁଛନ୍ତି ବୋଲି କହିଥିଲେ। ମୋଦୀ ମଧ୍ୟ ଏହାର ମଜାଳିଆ ଉତ୍ତର ‌ଦେଇଥିଲେ। ସେ କହିଥିଲେ ଆମେରିକାର ରାଷ୍ଟ୍ରପତି କିଏ ତାହା ଜାଣିବା ପାଇଁ ତାଙ୍କ ସହିତ ତାଙ୍କର ବଂଶର ଲୋକଙ୍କ କାଗଜ ମଧ୍ୟ ଆଣିଛନ୍ତି। ୨୦୧୩ରେ ବାଇଡେନ ମୁମ୍ବାଇ ଆସିଥିଲେ। ସେହି ସମୟରେ ସେ ଶ୍ରୋତାମାନଙ୍କୁ କହିଥିଲେ ଭାରତର ଆର୍ଥିକ ରାଜଧାନୀରେ ତାଙ୍କର ଦୂର ସଂପର୍କୀୟମାନେ ରହୁଛନ୍ତି। ତାହାର ଦୁଇବର୍ଷ ପରେ ୱାସିଂଟନ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁମ୍ବାଇରେ ୫ ଜଣ ବାଇଡେନ ରହୁଛନ୍ତି ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର