ନୂଆଦିଲ୍ଲୀ: ଚଳିତବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଅତି କମ୍ରେ ୫ ଥର ସାକ୍ଷାତ୍ ହୋଇପାରେ। ସେଥିମଧ୍ୟରୁ ମେ’ରୁ ଜୁନ୍ ଭିତରେ ୪ଥର ସାକ୍ଷାତ୍ ହେବ। ଯେଉଁସବୁ କାର୍ଯ୍ୟକ୍ରମରେ ମୋଦୀ-ବାଇଡେନ ସାକ୍ଷାତ୍କାର ହେବାର ସମ୍ଭାବନା ଅଛି ସେଗୁଡ଼ିକ ଭିତରେ ଅଛି- ହିରୋସିମାରେ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀ, ପାପୁଆ ନ୍ୟୁଗିନି ସମ୍ମିଳନୀ, ସିଡ୍ନୀରେ କ୍ବାଡ୍ ନେତାମାନଙ୍କ ବୈଠକ, ଆସନ୍ତା ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିପାରନ୍ତି ଏବଂ ରାଷ୍ଟ୍ରପତି ବାଇଡେନ ବି ଜି୨୦ ସମ୍ମିଳନୀ ଅବସରରେ ଭାରତ ଆସିପାରନ୍ତି। ଜି-୭ ଶିଖର ସମ୍ମିଳନୀ ମେ ୧୯ରୁ ୨୧ ଭିତରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ଦୁଇ ନେତା ମେ ୨୪ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାକୁ ସିଡ୍ନୀ ଯିବା ପୂର୍ବରୁ ପାପୁଆ ନ୍ୟୁଗିନିରେ ପୁନଶ୍ଚ ସେମାନଙ୍କର ଭେଟାଭେଟି ହେବ। ଆସନ୍ତା ଜୁନ ମାସରେ ମୋଦୀଙ୍କର ଆମେରିକା ଗସ୍ତ କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ରାଷ୍ଟ୍ରପତି ବାଇଡେନଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ଓ କୂଟନୈତିକ ପ୍ରସଙ୍ଗରେ ତାଙ୍କର ଆଲୋଚନା ହେବ। ମୋଦୀ ଜୁନ୍ ୨୧ ବିଶ୍ବ ଯୋଗ ଦିବସ ନ୍ୟୁୟର୍କରେ ପାଳିବାର ସମ୍ଭାବନା ଅଛି। ଏହାପରେ ସେ ୱାସିଂଟନ ଯାତ୍ରା କରିବେ।
ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ବାଇଡେନ ନୂଆଦିଲ୍ଲୀ ଆସିବେ ଓ ମୋଦୀଙ୍କ ସହ ସାକ୍ଷାତ୍ କରିବେ। ଆମେରିକା ଉପବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ଏହି ସୂଚନା ଦେଇଛନ୍ତି। ଭାରତ-ଆମେରିକା ସମ୍ପର୍କ ପାଇଁ ୨୦୨୩ ଏକ ମହତ୍ତ୍ବପୂର୍ଣ୍ଣ ବର୍ଷ ହେବ ବୋଲି ସେ କହିଛନ୍ତି।