‌‌କୋଭିଡ୍‌-୧୯ ଗବେଷଣା ନେଇ ମୋଦୀ-ବିଲ୍‌ ଗେଟ୍‌ସ୍‌ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେସନ୍‌ ଅଧ୍ୟକ୍ଷ ବିଲ୍‌ ଗେଟ୍‌ସ କୋଭିଡ୍‌-୧୯ ମହାମାରୀ ନିୟନ୍ତ୍ରଣ ଦିଗରେ ଗବେଷଣା ଏବଂ ବୈଜ୍ଞାନିକ ଉଦ୍ଭାବନ ଦିଗରେ ସମନ୍ବୟ ରକ୍ଷା ନେଇ ଆଲୋଚନା କରିଛନ୍ତି। ଏକ ଭିଡିଓ କନଫରେନ୍ସରେ ଉଭୟ ସହମତ ହୋଇଛନ୍ତି ଯେ ବିଶ୍ବର ପ୍ରୟାସରେ ସହଯୋଗ ଦିଗରେ ଭାରତର ଇଚ୍ଛା ଓ କ୍ଷମତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରୀୟ ଆଲୋଚନାରେ ନୂଆଦିଲ୍ଲୀ ଅନ୍ତର୍ଭୁକ୍ତ ହେବା ଜରୁରୀ। ସ୍ବାସ୍ଥ୍ୟ ସଙ୍କଟ ବିରୋଧରେ ହୋଇଥିବା ଲଢ଼େଇରେ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଏବଂ ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି। ସେ ଆଜି ଏକ ଟ୍ବିଟ୍‌ରେ ଏ କଥା ଜଣାଇଛନ୍ତି।

କରୋନା ବିରୋଧୀ ଲଢ଼େଇରେ ଭାରତର ଉଦ୍ୟମ ଏବଂ ବିଲ୍‌ ଗେଟ୍ସ ଫାଉଣ୍ଡେସନ୍‌ର କାର୍ଯ୍ୟ, ଟେକ୍‌ନୋଲୋଜି, ଉଦ୍ଭାବନର ଭୂମିକା, ଏବଂ ମହାମାରୀର ମୂଳୋତ୍ପାଟନ ପାଇଁ ଟିକା ଉଦ୍ଭାବନ ଦିଗରେ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ଗେଟ୍ସ ଫାଉଣ୍ଡେସନ୍‌ ଦ୍ବାରା ଭାରତ ସମେତ ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ବିଭିନ୍ନ ପଦକ୍ଷେପକୁ ମୋଦୀ ପ୍ରଶଂସା କରିଛନ୍ତି। ବିଶ୍ୱର ସାଧାରଣ ହିତ ପାଇଁ ଭାରତର ଦକ୍ଷତା ଓ ସାମର୍ଥ୍ୟର ଉତ୍ତମ ପ୍ରୟୋଗ ସମ୍ପର୍କରେ ମୋଦୀ ଗେଟ୍ସଙ୍କ ଠାରୁ ପରାମର୍ଶ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର