ନୂଆଦିଲ୍ଲୀ: ୨୦୧୯ ଲୋକସଭା ର୍ନିବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ବହୁମତ ସହ ପୁଣି କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି। ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନମୋ। ତେବେ ଏଥର ମୋଦି କ୍ୟାବିନେଟରେ କାହାକୁ ମିଳିବ ପ୍ରମୋସନ ଆଉ କାହାକୁ ମିଳିବ ଛୁଟି ସେନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା। ଏହାରି ଭିତରେ ଏଭଳି ୬ଜଣ ଚେହେରା ଅଛନ୍ତି, ଯେଉଁମାନଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା।
ପୀୟୁଷ ଗୋଏଲ- ମୋଦିଙ୍କ କ୍ୟାବିନେଟର ଟାଣୁଆ ମନ୍ତ୍ରୀ। ନୂଆ କ୍ୟାବିନେଟରେ ପୀୟୁଷ ଗୋଏଲଙ୍କୁ ପୁଣି ଥରେ ସ୍ଥାନ ମିଳିବାର ବେଶ୍ ସମ୍ଭାବନା ରହିଛି। ୨୦୧୪ରେ ମୋଦି ସରକାର ଆସିବା ପରେ ପୀୟୁଷ ଗୋଏଲଙ୍କୁ କୋଇଲା-ଶକ୍ତି ବିଭାଗର ଦାୟିତ୍ୱ ମିଳିଥିଲା। ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ବେଳେ ରେଳ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ କରାଯାଇଥିଲା। ଏହାପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ଚିକିତ୍ସା ପାଇଁ ଯେତେବେଳେ ବିଦେଶ ଯାଇଥିଲେ ସେତେବେଳେ ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିଲେ ପୀୟୁଷ ଗୋଏଲ। ଚଳିତ ବର୍ଷ ବଜେଟ ଉପସ୍ଥାପନ ମଧ୍ୟ କରିଥିଲେ। ତେଣୁ ତାଙ୍କ ଉପରେ ରହିଛି ସମସ୍ତଙ୍କ ନଜର।
ଜେନେରାଲ ଭିକେ ସିଂହ- ଦ୍ୱିତୀୟ ଥର ପାଇଁ ୟୁପି ଗାଜିଆବାଦ ଆସନରୁ ବିଜୟଲାଭ କରି ଲୋକସଭା ଯାଇଛନ୍ତି ଜେନେରାଲ ଭିକେ ସିଂହ। ସେନାର ଜେନେରାଲ ପଦରୁ ଅବସର ଗ୍ରହଣ ପରେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ ବିକେ ସିଂହ। ତାପରେ ଗାଜିଆବାଦରୁ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଜୟୀ ହୋଇଥିଲେ। ମୋଦି ସରକାରଙ୍କ ପ୍ରଥମ ଇନିଂସରେ ସଫଳତାର ସହ ତୁଲାଇଥିଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ। କୁହାଯାଉଛି ତାଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହ ପ୍ରମୋସନ ଦେଇପାରନ୍ତି ମୋଦି।
ଧର୍ମେନ୍ଦ୍ର ପ୍ରଧାନ- ମୋଦି କ୍ୟାବିନେଟର ସଫଳ ମନ୍ତ୍ରୀଙ୍କ ତାଲିକାରେ ରହିଛି ଧର୍ମେନ୍ଦ୍ରଙ୍କ ନାଁ। ୨୦୧୪ରେ ହୋଇଥିବା ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିଲା। ଉଜ୍ଜ୍ୱଳା ଯୋଜନାରେ ଦେଶରେ ଗରିବ ପରିବାର ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇ ବେଶ ଲୋକପ୍ରିୟ ହୋଇଥିଲା ଏହି ମନ୍ତ୍ରାଳୟ। ତାପରେ ତାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପ୍ରମୋସନ ଦେବା ସହ ଦକ୍ଷତା ଓ ବିକାଶ ବିଭାଗର ଅତିରିକ୍ତ ଦାୟତ୍ୱ ଦେଇଥିଲେ ମୋଦି। ଦ୍ୱିତୀୟ ଇନିଂସରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭଲ ବିଭାଗ ମିଳିବା ନେଇ ଆକଳନ କରାଯାଉଛି।
/sambad/media/post_attachments/wp-content/uploads/2019/05/images-39.jpg)
ରାଜ୍ୟବର୍ଦ୍ଧନ ସିଂ ରାଠୋର- ଅଲମ୍ପିଆଡରୁ ରାଜନେତା ବନିଛନ୍ତି ରାଜ୍ୟବର୍ଦ୍ଧନ ସିଂହ ରାଠୋର। ମୋଦିଙ୍କ ପ୍ରଥମ ଇନିଂସରେ ଖେଳ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ରାଜ୍ୟବର୍ଦ୍ଧନ। ସେ ସଫଳତାର ସହ ଏହି ଦାୟିତ୍ୱ ର୍ନିବାହ କରିବା ପରେ ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦେଇଥିଲେ ମୋଦି। ରାଠୋର ପୁଣି ଥରେ ବିଜୟୀ ହୋଇ ସାଂସଦ ହେବା ପରେ ତାଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ଚାଲିଛି ଅଙ୍କକଷା।
ବାବୁଲ ସୁପ୍ରିୟୋ- ଚଳିତ ର୍ନିବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ବାବୁଲ ସୁପ୍ରିୟୋ। ଏହା ସହିତ ମମତାଙ୍କ କଡା ପ୍ରତିରୋଧ ସତ୍ୱେ ପଶ୍ଚିମବଙ୍ଗରେ ବିଜେପିକୁ ମିଳିଛି ଭଲ ସଫଳତା। ଏହି ର୍ନିବାଚନରେ ବାବୁଲ ସୁପ୍ରିୟୋ ବେଶ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ତେଣୁ ମୋଦିଙ୍କ ପ୍ରଥମ ଇନିଂସରେ ରାଷ୍ଟ୍ରମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋଙ୍କୁ ଏଥର ପ୍ରମୋସନ ମିଳିବା ନେଇ ଚର୍ଚ୍ଚା ହେଉଛି।
ଜୟନ୍ତ ସିହ୍ନା- ହଜାରୀବାଗ ସଂସଦୀୟ କ୍ଷେତ୍ରରୁ ଦ୍ୱିତୀୟ ଥର ପାଇଁ ର୍ନିବାଚିତ ହୋଇଛନ୍ତି ଜୟନ୍ତ ସିହ୍ନା। ମୋଦିଙ୍କ ପ୍ରଥମ ଇନିଂସରେ ତାଙ୍କୁ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ଜୟନ୍ତଙ୍କ ବାପା ଯଶବନ୍ତ ମୋଦିଙ୍କୁ ବାରମ୍ବାର ବିରୋଧ କରିଆସୁଥିବାରୁ ତାଙ୍କର ଭାଗ୍ୟ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।