ଆଇଟି ହାର୍ଡଓୟାର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗୁ କରିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡଓୟାର କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‌ଆଇ ଯୋଜନା ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଘରୋଇ କ୍ଷେତ୍ରରେ ବି ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଆଇଟି ହାର୍ଡଓୟାର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଆକର୍ଷିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ ଲାପ୍‌ଟ୍ୟାପ, ଟାବଲେଟ୍ସ, ଅଲ୍‌ ଇନ୍‌ ୱାନ୍‌ ପିସି ଏବଂ ସର୍ଭରକୁ ଅନ୍ତର୍ଭୁକ୍ତ କରାଯାଇଛି ।

PM Modi assures domestic procurement of military hardware
Mint

ଏହି ଯୋଜନାରେ ୨୦୧୯-୨୦ ମୂଳ ବର୍ଷ ହିସାବରେ ଉତ୍ପାଦିତ ସାମଗ୍ରୀ ବିକ୍ରି ଉପରେ ୪ ଶତାଂଶରୁ ୨ ଶତାଂଶ ପର୍ଯ୍ୟନ୍ତ କ୍ରମହ୍ରାସମାନ ଭିତ୍ତିରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଯୋଗ୍ୟ କମ୍ପାନିଗୁଡିକୁ ୪ ବର୍ଷ ପାଇଁ ଏହି ସୁବିଧା ମିଳିବ । ଏହି ଯୋଜନାରେ ୫ଟି ବିଶ୍ୱସ୍ତରୀୟ କମ୍ପାନି ଏବଂ ୧୦ଟି ଘରୋଇ ଅଗ୍ରଣୀ କମ୍ପାନି ଉପକୃତ ହେବେ । ଏହିସବୁ କମ୍ପାନି ଆଇଟି ହାର୍ଡଓୟାର ଏବଂ ଲାପଟ୍ୟାପ, ଟାବଲେଟ୍ସ, ଅନ୍‌ ଇନ୍‌ ୱାନ ପିସି ଓ ସର୍ଭର ଉତ୍ପାଦନରେ ବିଶେଷ ଦକ୍ଷତା ଅର୍ଜନ କରିଛନ୍ତି । ଏହିସବୁ ସାମଗ୍ରୀର ଚାହିଦା ଦେଶରେ ଅଧିକ ଥିବାରୁ ବିଦେଶରୁ ଏହାକୁ ବିପୁଳ ପରିମାଣରେ ଆମଦାନୀ କରାଯାଉଛି । ତେଣୁ ଏହି ବଜାର ଚାହିଦା ଦୃଷ୍ଟିରୁ ଦେଶ ଭିତରେ ଏହାକୁ ତିଆରି କରିବା ପାଇଁ ଆତ୍ମନିର୍ଭର ଭାରତ ଅଧୀନରେ ଏହାକୁ ରଖାଯାଇଛି । ଏହି ପ୍ରସ୍ତାବିତ ଯୋଜନାର ମୋଟ ବ୍ୟୟ ୪ ବର୍ଷ ପାଇଁ ପ୍ରାୟ ୭୩୫୦ କୋଟି ଟଙ୍କା । ଏଥିରେ ୭୩୨୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ୨୫ କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ।

ଏହି ଯୋଜନାରେ ଦେଶରେ ଇଲେକ୍‌ଟ୍ରୋନିକ ଇକୋ ସିଷ୍ଟମର ବିକାଶ ଘଟିବ । ଏହାଛଡା ଭାରତ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ଉତ୍ପାଦନର ଏକ ପ୍ରମୁଖ ହବ୍‌ଭାବେ ପରିଣତ ହେବ । ଏହାଛଡା ଏ କ୍ଷେତ୍ରରେ ଭାରତ ବିଶ୍ୱର ଯୋଗାଣ ଜଞ୍ଜିରରେ ସାମିଲ ହୋଇପାରିବ । ସର୍ବୋପରି ଏହାଦ୍ୱାରା ଭାରତ ଆଇଟି ହାର୍ଡଓୟାର ରପ୍ତାନୀର ଲକ୍ଷ୍ୟସ୍ଥଳରେ ପରିଣତ ହୋଇପାରିବ । ଏହି ଯୋଜନାରେ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷ ୮୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ । ଆହୁରି ମଧ୍ୟ ଦେଶର ଆଇଟି ହାର୍ଡଓୟାର କ୍ଷେତ୍ର ୨୦୨୫ ସୁଦ୍ଧା ଶତକଡା ୨୦ରୁ ୨୫ ହାରରେ ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର