ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମଙ୍ଗଳବାର ଟେଲିଫୋନ ଯୋଗେ କଥାହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗାଜାରେ ମାନବିକ ସହାୟତା ଜାରି ରଖିବା, ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଇସ୍ରାଏଲ-ହମାସ ବିବାଦର ସମାଧାନ ବାହାର କରିବା ଉପରେ ମୋଦୀ ଗୁରୁତ୍ବ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କୁ କହିଛନ୍ତି ଯେ ଭାରତ ଆରବ ବିଶ୍ୱରେ ଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କହିଛି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ଏବଂ ତାଙ୍କୁ ଇସ୍ରାଏଲ-ହାମାସ ସଂଘର୍ଷର ସାମ୍ପ୍ରତିକ ଘଟଣାବିଷୟରେ ଅବଗତ କରାଇଛନ୍ତି। କଥାବାର୍ତ୍ତା ସମୟରେ ଦୁଇ ନେତା ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।
ଯୁଦ୍ଧ କ୍ଷତିଗ୍ରସ୍ତ ଲୋକଙ୍କୁ ମାନବିକ ସହାୟତା ଜାରି ରଖିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ପାରସ୍ପରିକ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ସହିତ ସାମ୍ପ୍ରତିକ ସଂଘର୍ଷର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ର ଆବଶ୍ୟକତା ଉପରେ ମୋଦୀ ଗୁରୁତ୍ୱାରୋପ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଚାଲିଥିବା ଇସ୍ରାଏଲ-ହମାସ ସଂଘର୍ଷ ଉପରେ ଫଳପ୍ରଦ ମତ ବିନିମୟ ହୋଇଛି।