‘ଅଗ୍ନିପଥ’ ସମର୍ଥନରେ ବାହାରିଲେ ମୋଦୀ: ଆଜି ୩ ସେନାମୁଖ୍ୟଙ୍କୁ ଭେଟିବେ, ୩ ମାସରେ ୮୩ ନିଯୁକ୍ତି ରାଲି

ବିଜ୍ଞପ୍ତି ଜାରି: ଜୁଲାଇରୁ ପଞ୍ଜୀକରଣ

ବେଙ୍ଗାଲୁରୁ: ସାଂପ୍ରତିକ ପରିସ୍ଥିତିରେ କିଛି ନିଷ୍ପତ୍ତି ଠିକ୍‌ ଲାଗେ ନାହିଁ। କିନ୍ତୁ ସମୟକ୍ରମେ ସେସବୁ ନିଷ୍ପତଜ୍ତି ଦେଶ ଗଠନରେ ସହାୟକ ହୁଏ। ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି। ଦେଶରେ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ଉକ୍ତ ଯୋଜନାର ନାମ ନ ନେଇ ଏହା ସପକ୍ଷରେ ଏଭଳି ପରୋକ୍ଷ ମତ ରଖିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଦେଶର ୩ ସେନାମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବ‌େ। ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉ ଥିବାବେଳେ ସ୍ଥଳସେନା, ନୌସେନା ଓ ବାୟୁସେନା ମୁଖ୍ୟମାନେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବେ। ସେମାନେ ପୃଥକ ଭାବ‌େ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ପ୍ରଥମେ ନୌସେନା ମୁଖ୍ୟ ଆଡମିରାଲ ଆର୍‌ ହରି କୁମାର ଭୋଟିବେ ବୋଲି ଜଣାଯାଇଛି। ଅଗ୍ନିପଥ ଯୋଜନାରେ ନିଯୁକ୍ତି ଆରମ୍ଭ ପାଇଁ ୩ ସେନା ପକ୍ଷରୁ ବିଜ୍ଞପ୍ତି ଆଜି ଜାରି ହୋଇଛି। ଅଗ୍ନିପଥ ଯୋଜନାରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦେବାପାଇଁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀଙ୍କ ଅନଲାଇନ ପଞ୍ଜୀକରଣ ଆସନ୍ତାମାସରୁ ଆରମ୍ଭ ହେବ। ସ୍ଥଳସେନା ପକ୍ଷରୁ କୁହାଯାଇଛି ଅଗ୍ନିବୀରମାନେ ଭାରତୀୟ ସେନାର ବର୍ତ୍ତମାନ ରୢାଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ରୢାଙ୍କରେ କାର୍ଯ୍ୟ କରିବେ। ୪ ବର୍ଷର ଚାକିରି ସମୟରେ ସେମାନଙ୍କୁ ପ୍ରାପ୍ତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ସେମାନେ କାହାରିକୁ ଦେଇପାରିବେ ନାହିଁ। ଅଗ୍ନିପଥ ଯୋଜନାରେ ଆସନ୍ତା ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶରେ ୮୩ଟି ନିଯୁକ୍ତି ରାଲି ଆୟୋଜନ ହେବ ବୋଲି ଜଣାଯାଇଛି।

ବିଜ୍ଞପ୍ତି ଜାରି: ଜୁଲାଇରୁ ପଞ୍ଜୀକରଣ

ନୂଆଦିଲ୍ଲୀ: ସେନାରେ ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ନିମନ୍ତେ ଭାରତୀୟ ସେନା ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜୁଲାଇରୁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଦେଶସାରା ବିରୋଧ, ପ୍ରତିବାଦ ଓ ଭାରତ ବନ୍ଦ ଡାକରା ଭିତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଚାରିବର୍ଷର ନିଯୁକ୍ତି ପରେ ଆଉ କୌଣସି ଚାକିରି ମିଳିବାର ଗ୍ୟାରେଣ୍ଟି ନ ଥିବାରୁ ଏବଂ ଚାରିବର୍ଷ ପରେ ପେନସନ ବା ଗ୍ରାଚୁଇଟି ସୁବିଧା ନ ଥିବାରୁ ଆଶାୟୀ ଯୁବକମାନେ ଏ ସ୍ବଳ୍ପଅବଧି ଚାକିରିକୁ ନାପସନ୍ଦ କରୁଛନ୍ତି। କେବଳ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ଆଉ ୧୫ ବର୍ଷ ଚାକିରି ପାଇଁ ବଛାଯିବ ଏବଂ ସେମାନଙ୍କୁ ପେନସନ ଆଦି ସୁବିଧା ମିଳିବ। ପୁରୁଣା ବ୍ୟବସ୍ଥାରେ ସେନାରେ ସିଧାସଳଖ ୧୫ ବର୍ଷିଆ ନିୟମିତ ଚାକିରି ମିଳୁଥିଲା।

ସୂଚନାଯୋଗ୍ୟ ଜୁନ୍ ୧୪ ତାରିଖରେ ସରକାର ଅଗ୍ନିପଥ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଏଥିରେ ସାଢ଼େ ସତରରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ‌ଯୋଗ୍ୟତା ଭିତ୍ତିରେ ଚୟନ କରାଯାଇ ଅଗ୍ନିବୀରଭାବେ ଚାରିବର୍ଷ ପାଇଁ ନିଯୁକ୍ତି ଦିଆଯିବ। ପରେ ସରକାର ପ୍ରଥମ ବ୍ୟାଚ ପାଇଁ ଉଚ୍ଚ ବୟସ ସୀମା ୨୧ ବଦଳରେ ୨୩ କରିଛନ୍ତି। କୋଭିଡ୍-୧୯ ସକାଶେ ନିଯୁକ୍ତି ବନ୍ଦ ହୋଇଯାଇଥିବାରୁ କେବଳ ପ୍ରଥମ ବର୍ଷ ପାଇଁ ୨ ବର୍ଷ କୋହଳ କରାଗଲା ବୋଲି ସରକାର କହିଛନ୍ତି। ଯେଉଁମାନେ ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ଆଶାୟୀ ସେମାନେ ଅନ୍‌ଲାଇନ୍ (www.joinindianarmy.nic.in) ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଜୁଲାଇରୁ ଏହି ପଞ୍ଜୀକରଣ ଆରମ୍ଭ ହେବ। ଜେନେରାଲ ଡ୍ୟୁଟି ପାଇଁ ଦଶମ ଶ୍ରେଣୀ ପରୀକ୍ଷାରେ ଏଗ୍ରିଗେଟରେ ଅନ୍ୟୂନ ୪୫ ପ୍ରତିଶତ ଏବଂ ପ୍ରତି ବିଷୟରେ ୩୩ ପ୍ରତିଶତ ବା ଅଧିକ ମାର୍କ ରଖିଥିବା ଆବଶ୍ୟକ। ଟେକ୍ନିକାଲ କ୍ୟାଡର ପାଇଁ (ଏଭିଏସନ ଓ ଆମ୍ୟୁନିସନ ଏକ୍‌ଜାମିନର ସମେତ) ପ୍ରାର୍ଥୀ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଇଂରାଜୀ ନେଇ ଦ୍ବାଦଶ (+୨) ଶ୍ରେଣୀ ପରୀକ୍ଷାରେ ଅନ୍ୟୂନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଏବଂ ପ୍ରତି ବିଷୟରେ ୪୦ ପ୍ରତିଶତରୁ କମ୍ ମାର୍କ ରଖି ନ ଥିବା ଆବଶ୍ୟକ।

କ୍ଲର୍କ ବା ଷ୍ଟୋରକିପର (ବୈଷୟିକ) ପାଇଁ ଯେକୌଣସି ଷ୍ଟ୍ରିମ୍‌ରେ ପ୍ରତି ବିଷୟରେ ଅନ୍ୟୂନ ୫୦ ପ୍ରତିଶତ ଏବଂ ଏଗ୍ରିଗେଟରେ ୬୦ ପ୍ରତିଶତ ମାର୍କ ରଖିଥିବା ଦରକାର। ଏହି କ୍ୟାଡର ପାଇଁ ଇଂରାଜୀ ଓ ଗଣିତ/ଆକାଉଣ୍ଟସ ବା ବୁକ୍‌-କିପିଂରେ ଅନ୍ୟୂନ ୫୦ ପ୍ରତିଶତ ମାର୍କ ରଖିଥିବା ବାଧ୍ୟତାମୂଳକ। ଟ୍ରେଡ୍‌ସମ୍ୟାନ୍ ପାଇଁ ଦୁଇଟି କାଟାଗୋରି ଅଛି- ୧୦ମ ପାସ୍ ଓ ୮ମ ପାସ୍। ଏହି ପଦବି ପାଇଁ ୧୦ମ ବା ୮ମ ପରୀକ୍ଷାରେ ପ୍ରତି ବିଷୟରେ ଅନ୍ୟୂନ ୩୩ ପ୍ରତିଶତ ମାର୍କ ରଖିଥିବା ଦରକାର। ଅଗ୍ନିବୀରମାନଙ୍କ ଦରମା ଏକ କମ୍ପୋଜିଟ ପ୍ୟାକେଜ ଏବଂ ସେମାନଙ୍କୁ ମହଙ୍ଗା ଭତ୍ତା ଓ ସାମରିକ ସେବା ଦରମା ମିଳିବ ନାହିଁ। ସେମାନଙ୍କୁ ରିସ୍କ ଆଣ୍ଡ ହାର୍ଡସିପ, ରେସନ, ଡ୍ରେସ୍ ଓ ଟ୍ରାଭେଲ ଭତ୍ତା ମିଳିବ। ସେମାନଙ୍କୁ ଚାରିବର୍ଷର ଚାକିରି ଅବଧି ପାଇଁ ୪୮ ଲକ୍ଷ ଟଙ୍କାର ଜୀବନବୀମା ସୁବିଧା ମିଳିବ, ଯେଉଁଥିପାଇଁ ସେମାନଙ୍କୁ କୌଣସି ପ୍ରିମିୟମ ଭରିବାକୁ ହେବ ନାହିଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର