ମୋ ହାତ ଧରି ରାଜନୀତିକୁ ଆସିଥିଲେ ମୋଦୀ: ଶରଦ ପାୱାର

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟରେ ମହାବିକାଶ ଆଘାଡି ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୁଣେରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ପାୱାରଙ୍କୁ ଏକ ଘୁରିବୁଲୁଥିବା ଆତ୍ମା ​​ବୋଲି କହିଥିଲେ। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାୱାରଙ୍କ ନାମ ନେଇ ନଥିଲେ।

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ପାୱାର କହିଛନ୍ତି ଆଜିକାଲି ପିଏମ ମୋଦୀ ମୋ ଉପରେ ରାଗିଛନ୍ତି। ଏକ ସମୟ ଥିଲା ଯେତେବେଳେ ପ୍ରାଧାନମନ୍ତ୍ରୀ କହିଥିଲେ ଯେ ସେ ମୋ ଆଙ୍ଗୁଠି ଧରି ରାଜନୀତିରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେ ମୋତେ ଘୁରିବୁଲୁଥିବା ଆତ୍ମା ​​ବୋଲି କହୁଛନ୍ତି | ହଁ, ମୁଁ ଚାଷୀଙ୍କ ଦୁଃଖର ସମାଧାନ କରିବାକୁ ବୁଲୁଛି। ମୁଦ୍ରାସ୍ଫୀତି ଯୋଗୁ ଅସୁବିଧା ଭୋଗୁଥିବା ସାଧାରଣ ଲୋକର ଯନ୍ତ୍ରଣା ପ୍ରକାଶ କରିବାକୁ ମୁଁ ବୁଲାବୁଲି କରୁଛି।

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମା ​​ଦିଲ୍ଲୀରୁ ମହାରାଷ୍ଟ୍ରକୁ ଆସୁଛି। ଅଘ‌ୋରୀଙ୍କ ଭଳି ମୋଦୀ ଘୁରିବୁଲୁଛନ୍ତି। କାରଣ ଜୁନ୍ ୪ ପରେ ମହାରାଷ୍ଟ୍ରରେ ବିଜେପି ପାଇଁ ଅନ୍ତିମ ସଂସ୍କାର ପରି ହେବ। ସେଥିପାଇଁ ପିଏମ ମୋଦୀଙ୍କ ଆତ୍ମା ​​ଘୁରି ବୁଲୁଛି। ଏହା ହେଉଛି ଅଘୋରୀ ଆତ୍ମା। ବିଜେପିରଅନ୍ତିମ ସଂକାର ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ। ଏଥି ସହିତ ଆଦିତ୍ୟ ଠାକରେ କହିଛନ୍ତି ପ୍ରଧାନମନ୍ତ୍ରୀ ପାୱାରଙ୍କୁ ଏକ ଘୁରି ବୁଲୁଥିବା ଆତ୍ମା ବୋଲି କହିଛନ୍ତି, ଏହା ଆଦୌ ଠିକ ନୁହେଁ। ଏହା ଆମ ସଂସ୍କୃତିର ବିରୋଧୀ। ଯଦି ନିଜ କାର୍ଯ୍ୟରେ ମୋଦୀଙ୍କର ଏତେ ଆତ୍ମବିଶ୍ୱାସ ଅଛି ତେବେ ସେ କେବଳ ନିଜ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ।

ଯେତେବେଳେ ସାମ୍ବାଦିକମାନେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ, ସେ କହିଥିଲେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ, ମୁଁ ମଧ୍ୟ ସେଠାରେ ରହିବି। ସେ‌ତେବେଳେ ମୁଁ ତାଙ୍କୁ ପଚାରିବି ସେ କାହାକୁ ଘୁରି ବୁଲୁଥିବା ଆତ୍ମା ବୋଲି କହିଛନ୍ତି। ଏହାକୁ କେଉଁ ଉଦ୍ଦେଶ୍ୟରେ ସେ କହିଛନ୍ତି। ସେ ମୋତେ ଏହାର ଉତ୍ତର ଦେଲେ ମୁଁ ଏହା ଆପଣମାନଙ୍କୁ କହିବି ବୋଲି ଅଜିତ କହିଛନ୍ତି।

ସମ୍ବନ୍ଧିତ ଖବର