କରୋନା ଭାଇରସ : ୟୁରୋପ ଗସ୍ତ ବାତିଲ କଲେ ମୋଦୀ, ଦିଲ୍ଲୀର ସବୁ ପ୍ରାଥମିକ ସ୍କୁଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯) ସଂକ୍ରମଣ ବଢିଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବ୍ରସେଲ୍ସ ଗସ୍ତ ବାତିଲ କରିଦେଇଛନ୍ତି । ଚଳିତ ମାସରେ ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ଭାରତ ଓ ୟୁରୋପୀୟ ସଂଘର ସମ୍ମିଳନୀ ହେବାକୁ ଥିଲା । ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ବ୍ରସେଲ୍ସ ଯିବାର ଥିଲା । କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଗସ୍ତକୁ ବାତିଲ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ସେ କହିଛନ୍ତି ଯେ ଏହି ସମ୍ମିଳନୀ ପାଇଁ ଏକ ନୂଆ ତାରିଖ ଧାର୍ଯ୍ୟ କରାଯିବ ।

ସେହିପରି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସବୁ ପ୍ରାଥମିକ ସ୍କୁଲକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ।
ଗତକାଲି ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ପରୀକ୍ଷା ହଲରେ ବସିପାରିବେ ବୋଲି ସିବିଏସଇ ଅନୁମତି ଦେଇଥିଲା । ଏହା ସହିତ ସେମାନେ ନିଜ ପାଖରେ ହାଣ୍ଡ ସାନିଟାଇଜର ରଖିପାରିବେ ।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୩୩୦୦ ଛୁଇଁଛି । ଏହା ସହିତ ବିଶ୍ୱରେ ପ୍ରାୟ ୯୫ ହଜାର ଜଣ ସଂକ୍ରମିତ ହୋଇଛନ୍ତି, ଏହା ମଧ୍ୟରୁ ୮୮ ହଜାର ଚୀନର ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର