ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଶତ୍ରୁଘ୍ନ ସିହ୍ନା ବୁଧବାର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ମୋଦୀ ଆଖି ମିଳାଇ ପାରୁ ନାହାନ୍ତି। ସଂସଦରେ ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ବିଷୟରେ ଶତ୍ରୁଘ୍ନ କହିଛନ୍ତି ବିରୋଧୀ ଦଳର ନେତାଙ୍କ ଜାତି ବିଷୟରେ ସେ ପଚାରିବା ଉଚିତ୍ ନୁହେଁ, ଏହା ଭୁଲ୍ ଅଟେ। ସେ କହିଛନ୍ତି ରାହୁଲ ଗାନ୍ଧୀ ବିରୋଧୀ ଦଳର ଜଣେ ଶକ୍ତିଶାଳୀ ନେତା। ଏଭଳି ପରିସ୍ଥିତିରେ ସଂସଦରେ ତାଙ୍କ ଜାତି ବିଷୟରେ ପଚାରିବା ଠିକ୍ ନୁହେଁ। ସେ ପ୍ରଶ୍ନ ଉଠାଇଛନ୍ତି ସଂସଦରେ ଏପରି ବ୍ୟକ୍ତିଙ୍କ ଜାତି ବିଷୟରେ କେହି କିପରି ପଚାରି ପାରିବେ?

ସୂଚନାଯୋଗ୍ୟ, ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ସଂସଦରେ ମନ୍ତବ୍ୟ ଦେଇ ଏକ ବିବାଦ ସୃଷ୍ଟି କରିଥିଲେ ଯେ ଯାହାର ଜାତି ଜଣାନାହିଁ, ସେ ଜାତି ଭିତ୍ତିକ ଜନଗଣନା ବିଷୟରେ କଥାବାର୍ତ୍ତା କରୁଛନ୍ତି। ପରେ ସେ କହିଥିଲେ ମନ୍ତବ୍ୟରେ ସେ କାହାର ନାମ ନେଇ ନାହାନ୍ତି। ଅନ୍ୟପକ୍ଷରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ପାଇଁ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି ଦାବି କରିଛନ୍ତି। ରାହୁଲ କହିଥିଲେ ଅନୁରାଗ ଠାକୁର ତାଙ୍କୁ ଅପମାନିତ କରିଛନ୍ତି।

ଶତ୍ରୁଘ୍ନ କହିଛନ୍ତି ଯେ ବିଜେପି ସମ୍ମୁଖରେ ସଂସଦରେ ଆଉ ପୂର୍ବ ପରି ବିରୋଧୀ ଦଳ ନାହିଁ। ସରକାର ମଧ୍ୟ ପୂର୍ବ ପରି ସମାନ ନୁହଁନ୍ତି। ଯେତେବେଳେ ବିରୋଧୀ ଦଳର ନେତା ତାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ନେତାଙ୍କ ସହ ଆଖି ମିଳାଇ ପାରୁନାହାନ୍ତି। ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏହା ଏକ ଦୁର୍ବଳ ସରକାର ଏବଂ ଯଦି ସରକାର ଏହିପରି ଜାରି ରୁହେ ତେବେ ଏହା ଦେଶର ବିକାଶ ପାଇଁ ସମସ୍ୟା ସୃଷ୍ଟି କରିବ।