ନୂଆଦିଲ୍ଲୀ : ସାମୁଦ୍ରିକ ମାର୍ଗଗୁଡ଼ିକ ଅନ୍ତର୍ଜାତୀୟ ବାଣିଜ୍ୟର ଜୀବନରେଖା। ତେଣୁ ବିଭିନ୍ନ ଦେଶ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ରହିଥିବା ସମସ୍ତ ବାଧା ଦୂର ହେବା ଆବଶ୍ୟକ। ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି- ଅନ୍ତର୍ଜାତୀୟ ସହଯୋଗର ଏକ ପ୍ରସଙ୍ଗ’ ଶୀର୍ଷକ ବିତର୍କରେ ଭାଗନେଇ ପ୍ରଧାନମନ୍ତ୍ରୀ ଆଜି ଏହା କହିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଆଜି ଜାତିସଂଘ ନିରାପତ୍ତା ପରିଷଦ ବିତର୍କ ଅଧିେଶନରେ ଅଧ୍ୟକ୍ଷତା କରି ଏଭଳି ମତ ପୋଷଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତ ଯେ କେଉଁ ଅଜଣା ସମୟରୁ ସମୁଦ୍ରରେ ଅବାଧ ବାଣିଜ୍ୟ ଭାରତର ସଂସ୍କୃତି ସହିତ ଜଡ଼ିତ ହୋଇ ରହିଆସିଛି। ମହାସାଗର କାହାରି ଏକାନ୍ତ ନିଜସ୍ବ ନୁହେଁ, ଏହା ସବୁଦେଶର ମିଳିତ ଐତିହ୍ୟ ଏବଂ ଆମର ସାମୁଦ୍ରିକ ମାର୍ଗଗୁଡ଼ିକ ଅନ୍ତର୍ଜାତୀୟ ବାଣିଜ୍ୟର ଜୀବନରେଖା। ତେଣୁ ପୃଥିବୀର ଭବିଷ୍ୟତ ପାଇଁ ମହାସାଗରଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ମିଳିତ ଐତିହ୍ୟ ଏକାଧିକ ସମସ୍ୟାର ସାମ୍ନା କରୁଛି। ଡକାୟତି ଏବଂ ଆତଙ୍କବାଦ ପାଇଁ ସାମୁଦ୍ରିକ ମାର୍ଗର ଦୁରୂପଯୋଗ କରାଯାଉଛି। କେତେକ ଦେଶ ମଧ୍ୟରେ ସାମୁଦ୍ରିକ ବିବାଦ ରହିଛି। ସାମୁଦ୍ରିକ ବାଣିଜ୍ୟର ଉପଯୋଗ ପାଇଁ ନିଜ ଭିତରେ ବୁଝାମଣା ଏବଂ ସହଯୋଗର ଢାଞ୍ଚା ତିଆରି କରାଯିବା ଉଚିତ। ଏଭଳି ଢାଞ୍ଚା କୌଣସି ଦେଶ ଏକୁଟିଆ କରିପାରିବ ନାହିଁ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଏହି ଭାବନା ରଖି ଆମେ ଏହି ମହତ୍ତ୍ବପୂର୍ଣ୍ଣ ବିଷୟକୁ ସୁରକ୍ଷା ପରିଷଦ ନିକଟରେ ଉପସ୍ଥାପିତ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି, ଆଜିର ଏହି ଉଚ୍ଚସ୍ତରୀୟ ଆଲୋଚନାରେ ବିଶ୍ବକୁ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଉପଯୁକ୍ତ ମାର୍ଗଦର୍ଶନ ମିଳିବ। ଏହା ଉପରେ ଅଧିକ ଚର୍ଚ୍ଚା ପାଇଁ ମୋଦୀ ବିଶ୍ବ ସମ୍ମୁଖରେ ୫ଟି ସିଦ୍ଧାନ୍ତ ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକକୁ ହଟାଇବା ଅନ୍ୟତମ। ସାମୁଦ୍ରିକ ବାଣିଜ୍ୟ ପ୍ରତି ଯେକୌଣସି ପ୍ରକାର ବାଧା ରହିଲେ ତାହା ବିଶ୍ବ ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ ବୋଲି ମୋଦୀ କହିଛନ୍ତି। ତେଣୁ ଆମ ସମସ୍ତଙ୍କର ସମୃଦ୍ଧି ସାମୁଦ୍ରିକ ବାଣିଜ୍ୟର ସକ୍ରିୟ ପ୍ରବାହ ଉପରେ ନର୍ଭରଶୀଳ। ନିଃଶୁଳ୍କ ସାମୁଦ୍ରିକ ବାଣିଜ୍ୟ ପାଇଁ ଆମେ ପରସ୍ପରର ଅଧିକାରକୁ ସମ୍ମାନ ଦେବାଉଚିତ। ଅନ୍ତଃରାଷ୍ଟ୍ରୀୟ ଆଇନ ଅନୁସାରେ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସାମୁଦ୍ରିକ ବିବାଦର ସମାଧାନ ହେବା ଉଚିତ। ନିଜ ଭିତରେ ଭରସା ଏବଂ ବିଶ୍ବାସର ଆବଶ୍ୟକତା ରହିଛି। ଏହାଫଳରେ ଆମେ ବୈଶ୍ବିକ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିପାରିବା। ସାମୁଦ୍ରିକ ବାଣିଜ୍ୟରେ ରହିଥିବା ଅସୁବିଧା ଯଥା ପ୍ଲାଷ୍ଟିକ୍ ଏବଂ ତୈଳ ଲିକ୍ ଯୋଗୁ ହେଉଥିବା ପ୍ରଦୂଷଣକୁ ସମସ୍ତେ ମିଳିମିଶି ମୁକାବିଲା କରିବା ଉଚିତ। ସେହିଭଳି ଅତ୍ୟଧିକ ମାଛମରା ଉପରେ ମଧ୍ୟ ରୋକ୍ ଲଗାଇବାକୁ ହେବ। ଦାୟିତ୍ବସମ୍ପନ୍ନ ସାମୁଦ୍ରିକ ଯୋଗାଯୋଗକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଏହି ସିଦ୍ଧାନ୍ତ ଆଧାରରେ ସାମୁଦ୍ରିକ ସୁରକ୍ଷା ସହଯୋଗର ଏକ ବୈଶ୍ବିକ ନକ୍ସା ପ୍ରସ୍ତୁତ ହୋଇପାରିବ। ଏହା ସୁରକ୍ଷା ପରିଷଦର ସମସ୍ତ ସଦସ୍ୟଙ୍କ ପାଇଁ ମହତ୍ବପୂର୍ଣ୍ଣ ଅଟେ।
ସୁରକ୍ଷା ପରିଷଦରେ ବିଶ୍ବର ଧନୀ ଦେଶ ଆମେରିକା, ଚୀନ୍, ବ୍ରିଟେନ, ରୁଷ ଏବଂ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ଅଛନ୍ତି। ୧୦ ଅସ୍ଥାୟୀ ସଦସ୍ୟ ମଧ୍ୟରେ ଭାରତ ରହିଛି। ଅଗଷ୍ଟ ମାସରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳୁଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଜାତିସଂଘର ଏହି ଗୁରୁତ୍ବପୂର୍ଣ୍ଣ ବିତର୍କ ହୋଇଯାଇଛି। ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନ୍ୟ ସଦସ୍ୟରାଷ୍ଟ୍ରର ନେତାମାନେ ଯୋଗଦେଇଛନ୍ତି।